ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଲିସ ଗାଡି ଧକ୍କାରେ ଜଣେ କି’ ଦୁଇଜଣ ନୁହେଁ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପାଖରେ । ଏହି ଘଟଣାକୁ ନେଇ ବେଶ କିଛି ସମୟ ଉତେଜନା ଦେଖାଦେଇଥିଲା । ଲୋକେ ରାସ୍ତା ଅବରୋଧ କରିଥିଲେ । ପରେ ନୟାପଲ୍ଲୀ ଥାନା ପୁଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସପିଟାଲ ପଠାଇଥିଲା ।
ତେବେ ଧକ୍କା ଦେଇଥିବା ପୁଲିସ ଭ୍ୟାନ ବାଇକ ଚାଳକଙ୍କ ସମେତ ଏକ ଟଲିବାଲାକୁ ମଧ୍ୟ ରକ୍ତାକ୍ତ କରିଥିବା ଜଣାପଡିଛି । ସକାଳ ସାଢ଼େ ୯ଟାରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସବୁଠୁ ବଡ଼ କଥା ହେଉଛି ଦୁର୍ଘଟଣା ପରେ ଆଖି ପିଛୁଳାକେ ଚମ୍ପଟ ମାରିଥିଲା ପୁଲିସ ଭ୍ୟାନ । ଆହତଙ୍କୁ ମରଣମୁହଁରେ ଛାଡି ପୁଲିସ ଭ୍ୟାନ ଫେରାର ହେବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯେଉଁଠି ପୁଲିସ ଧକ୍କା କରି ଫେରାର ହୋଇଯାଉଛି ସେଠି ଯେ ପୁଲିସ ଲୋକଙ୍କ ଧନଜୀବନ କିପରି ରକ୍ଷା କରୁଥିବ ତାହା ସହଜେ ଅନୁମେୟ ।