ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲା ବାଲାକୋଟରେ ରବିବାର ବିଳମ୍ବିତ ରାତିରେ ପାକ୍ ସେନା ସଂଘର୍ଷବିରାମ ଉଲ୍ଲଂଘନ କରିଛି । ଇତି ମଧ୍ୟ ପ୍ରବଳ ଗୁଳିବର୍ଷଣ ହୋଇଛି । ପାକ୍ ର ଏହି ହିଂସାତ୍ମକ କାଣ୍ଡ ପାଇଁ ଭାରତୀୟ ସେନା ବି ଜବାବ ଦେଇଛି । ଏଥିରେ ପାକିସ୍ତାନର ପୋଷ୍ଟ ଉପରେ କ୍ଷତି ପହଁଚିଥିବା ସୂଚନା ମିଳିଛି । ମାତ୍ର ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ଗୁଳି ବର୍ଷଣରେ ୪ ଭାରତୀୟ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏନେଇ ସେନାର ପ୍ରବକ୍ତା ଲେଫ୍ଟିନେଣ୍ଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି କି, ପାକିସ୍ତାନ ପକ୍ଷରୁ ବାଲାକୋଟ ଏବଂ ମେଣ୍ଢର ସେକ୍ଟରରେ ରବିବାର ଦିନ ରାତି ସାଢେ ଦଶରୁ ଗୁଳି ବର୍ଷଣ ଜାରି ରହିଛି । ଏହାର କଡା ଜବାବ ଦେଇଛି ଭାରତୀୟ ସେନା । ଏଥିରେ ଭାରତୀୟ ସେନାର ୪ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି ।
ଏହାପୂର୍ବରୁ ଶନିବାର ଦିନ ସକାଳୁ ସେହି ସ୍ଥାନରେ ପାକ୍ ସେନା ସଂଘର୍ଷବିରାମ ଉଲ୍ଲଂଘନ କରି ଗୁଳିବର୍ଷଣ କରିଥିଲା । କେବଳ ଏତିକି ନୁହେଁ ଜନଗହଳି ପୂର୍ଣ୍ଣ ଅଞ୍ଚଳକୁ ଟାର୍ଗଟ କରିଥିଲା ପାକିସ୍ତାନ ।
କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଅବସ୍ଥା ବେହାଲ ହୋଇପଡିଛି । ଆତଙ୍କବାଦୀଙ୍କୁ ପୁରାଇ ଘାଟିର ମାହୋଲ ଖରାପ କରିବା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷବିରାମ ଉଲ୍ଲଘଂନ କରୁଛି ପାକ୍ ।