କେନ୍ଦୁଝର ( ଏଟିଆର ବ୍ୟୁରୋ): ଚିକିତ୍ସା ଅବହେଳାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଜଣ ରୋଗୀଙ୍କ ମୃତ୍ୟୃୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଅବହେଳା ହେତୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ମୁତାବକ ନରଣପୁର ଅଞ୍ଚଳର କ୍ଷୀରୋଦିନୀ ପାତ୍ରଙ୍କର ରକ୍ତଚାପ ହେବାରୁ ପରିବାର ଲୋକେ ତାଙ୍କୁ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।
ସେଠାରେ ତାଙ୍କ ରକ୍ତ ଚାପ ବଢିଯିବାରୁ କ୍ଷୀରୋଦିନୀଙ୍କ ସ୍ୱାସ କ୍ରିୟାରେ ବାଧା ଉପୁଜିଥିଲା । ଡାକ୍ତର ଅକ୍ସିଜେନ ଲଗାଇବାକୁ କହିଥିଲେ ମାତ୍ର କେହି ରୋଗୀଙ୍କ ଦେହରେ ଅକ୍ସିଜେନ ଲଗାଇ ନଥିଲେ । ଯାହା ଫଳରେ କ୍ଷୀରୋଦିନୀଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଆଉ ଜଣେ ସାପ କାମୁଡା ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ତାଙ୍କୁ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତର ଥିଲେ ମଧ୍ୟ ଡାକ୍ତର ରୋଗୀଙ୍କୁ ଦେଖିବାକୁ ଅସିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଡାକ୍ତରଖାନାରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ପରିବାର ଓ ମୃତ ରୋଗୀଙ୍କ ସମ୍ପର୍କୀୟ ମାନେ କିଛି ସମୟ ଧରି ଡାକ୍ତରଖାନା ପରିସରରେ ହୋହାଲ୍ଲା କରିଥିଲେ ।