ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ବି ବ୍ୟାଙ୍କ ଗ୍ରାହକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କ ଦ୍ୱାରା ଲଗାତର ଭାବେ ପ୍ରୟାସ କରାଯିବା ପରେ ବି ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ଥର ଅନଲାଇନ୍ ଟ୍ରାଞ୍ଜାକ୍ସନ ବି ଫେଲ ମାରିଥାଏ । ସେଥିପାଇଁ ଏବେ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ନୂତନ ନିୟମ କରାଯାଇଛି । ଯଦି ଆପଣଙ୍କ ଅନ୍-ଲାଇନ୍ ନେଣ ଦେଣ କୌଣସି କାରଣରୁ ଫେଲ୍ ହେଉଛି ଏବଂ ଗୋଟେ ଦିନ ମଧ୍ୟରେ ଟଙ୍କା ଫେରସ୍ତ ହେଉ ନାହିଁ, ତେବେ ଏହି ନିୟମ ବିଷୟରେ ଜାଣିବା ନିହାତି ଆବଶ୍ୟକ ।
ଆରବିଆଇ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ କୁହାଯାଇଛି କି, ଅନଲାଇନ୍ ନେଣ ଦେଣ ଫେଲ ହେବା ପରେ ଯଦି ଗ୍ରାହକଙ୍କୁ ଗୋଟେ ଦିନ ଭିତରେ ଟଙ୍କା ଫେରସ୍ତ ନମିଳୁଛି ତେବେ ବ୍ୟାଙ୍କ ଏବଂ ଡିଜିଟାଲ ୱାଲେଟ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟଙ୍କୁ ପ୍ରତିଦିନ ୧୦୦ ଟଙ୍କା ଦିଆଯିବ ।
ଏହି ନିୟମ ୟୁନିଫାଇଡ ପେମେଣ୍ଟଓ ଇଣ୍ଟରଫେଓ (ୟୁପିଆଇ), ଇମିଡିଏଟ୍ ପେମେଣ୍ଟ ସିଷ୍ଟମ(ଆଇଏମପିଏସ), ଇ-ୱାଲେଟ୍ସ, କାର୍ଡ ଟୁ କାର୍ଡ ,ପେମେଣ୍ଟ ଏବଂ ନାସନାଲ ଅଟୋମେଟେଡ୍ କ୍ଲିୟରିଂ ହାଉସ (ଏନଏସିଏଚ) ରେ ଲାଗୁ ହେବ ।
କେବଳ ଡିଜିଟାଲ ନୁହେଁ ନନ୍ ଡିଜିଟାଲ ନେଣ ଦେଣ ପାଇଁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଟାଇମଲାଇନ୍ ପ୍ରସ୍ତୁତ କରାଯାଇଛି । ଅନଲାଇନ୍ ପେମେଣ୍ଟ, ଏଟିଏମ ଏବଂ ମାଇକ୍ରୋ ଏଟିଏମ୍ ଦ୍ୱାରା ଫେଲ୍ ହେଉଥିବା ନେଣ ଦେଣ ପାଇଁ ଖାତାକୁ ଟଙ୍କା ଆସିବାର ସମୟ ପାଞ୍ଚ ଦିନ ରଖାଯାଇଛି ।
ଆର୍ଥିକ କ୍ଷତିପୂରଣକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ଖାତାକୁ ଖୁବ୍ ଶୀଘ୍ର ଟଙ୍କା ପହଁଚିବା ଉଚିତ୍ ଏବଂ ଗ୍ରାହକଙ୍କ ଅଭିଯୋଗକୁ ଅପେକ୍ଷା କରିବା ଉଚିତ୍ ନୁହେଁ ବୋଲି ଆରବିଆଇ ର ସର୍କୁଲାର ରେ କୁହାଯାଇଛି ।