ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ୱିଟର ଆକାଉଣ୍ଟରୁ କାଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗ ଟ୍ୱିଟ୍ କୁ ଡିଲିଟ୍ କରିଛନ୍ତି । କାଶ୍ମୀର ପ୍ରଥମରୁ ଭାରତର ବୋଲି କୁହାଯାଉଛି ଏବଂ ପାକିସ୍ତାନ ର ଦ୍ୱିପାକ୍ଷୀୟ ମସାଲା । ଯେଉଁଥିରେ ଭାରତ କୌଣସି ଦେଶର ହସ୍ତକ୍ଷେପ ଚାହୁଁ ନାହିଁ । ସେପଟେ ଏହି ସୀମା ବିବାଦର ସମାଧନ ପାଇଁ ଟ୍ରମ୍ପ ମଧ୍ୟସ୍ଥତା କରିବା ପାଇଁ ଅନେକ ଥର ପ୍ରସ୍ତାବ ଦେଇ ସାରିଛନ୍ତି । ମାତ୍ର ଏନେଇ ଭାରତ ରାଜି ନାହିଁ ।
ଅପରପକ୍ଷେ ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା କି, ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନଙ୍କ ସହ ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯେଉଁଥିରେ ତାଙ୍କୁ କାଶ୍ମୀର ପ୍ରସଙ୍ଗରେ ପୁର୍ନବାର ମଧ୍ୟସ୍ଥତା କରିବା ପାଇଁ ପଚାରଯିବାରୁ ସେ କହିଛନ୍ତି, ମୁଁ ପ୍ରସ୍ତୁତ ଅଛି । ଏହା ଏକ ଜଟିଳ ପ୍ରସଙ୍ଗ । ଦୀର୍ଘ ଦିନ ହେବ ଚାଲିଛି । ଯଦି ଦୁଇ ପକ୍ଷ ଚାହିଁବେ ତେବେ ମୁଁ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ।
ଏହି ଟ୍ୱିଟ୍ କୁ ରିଟ୍ୱିଟ୍ କରି ଟ୍ରମ୍ପ ଲେଖିଛନ୍ତି, ‘ଦୁଇ ପକ୍ଷ ଏହି ସମସ୍ୟା ସମାଧାନ ଖୁବ୍ ଶୀଘ୍ର କରିବେ ବୋଲି ଆଶା ରହିଛି ।’ ମାତ୍ର ଟ୍ୱିଟ୍ କୁ ପରବର୍ତ୍ତି ମୁହୁର୍ତ୍ତରେ ଟ୍ରମ୍ପ ତାଙ୍କ ଆକାଉଣ୍ଟରୁ ଡିଲିଟ୍ କରି ଦେଇଛନ୍ତି ।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଇମରାନ୍ ଖାନ୍ ଚାରିଆଡେ ବୁଲି ବୁଲି ସାହାଯ୍ୟ ପାଇଁ ଗୁହାରି କରୁଛନ୍ତି । କିନ୍ତୁ ତାଙ୍କ ସପକ୍ଷରେ କୌଣସି ଦେଶ ନାହାନ୍ତି । ଯେଉଁଥି ପାଇଁ ତାଙ୍କୁ ବାରମ୍ବାର ଝଟକା ଲାଗୁଛି ।