ଭୁବେନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସକାଳେ ନନ୍ଦନକାନନର ସ୍ଥାନୀୟ ବାସିନ୍ଦା କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ସୂଚନା ଅନୁସାରେ ପାଖା ପାଖି ଶତାଧିକ ସ୍ଥାନୀୟ ବାସିନ୍ଦା ନନ୍ଦନକାନନ ଫାଟକ ସମ୍ମୁଖରେ ବସି ରହିଥିଲେ । ସେମାନଙ୍କର ମୁଖ୍ୟ ଦାବି ଥିଲା ଦାରୁଠେଙ୍ଗ ଠାରେ ଥିବା ଡମ୍ପିଂୟାର୍ଡ ଉଠାଇବା ପାଇଁ । କାରଣ ହାର୍ପିସ ଭାଇରସ ଡମ୍ପିଂୟାର୍ଡରୁ ବ୍ୟାପି ହାତୀମାନଙ୍କୁ ହେଉଥିବାରୁ ନନ୍ଦନକାନନର ହାତୀ ମାନେ ମୃତୁ ବରଣ କରୁଛନ୍ତି ବୋଲି ସେମାନେ ଦାବି କରିଛନ୍ତି । ମାସକ ମଧ୍ୟରେ ହାର୍ପିସ ଭାଇରସ ଦ୍ୱାରା ରୋଗରେ ସଂକ୍ରମିତ ହୋଇ ୪ଟି ହାତୀ ମୃତୁ ବରଣ କରି ସାରିଲେଣି ।
ତେଣୁ ତୁରନ୍ତ ଡମ୍ପିଂୟାର୍ଡ କୁ ସ୍ଥାନାନ୍ତରିତ ନକରାଗଲେ ଆଗକୁ ଏହି ଆନ୍ଦୋଳନ ଆହୁରି ବଡ ହେବ ବୋଲି ଚେତାବନୀ ଦେଇଛନ୍ତି ସୁର ରାଉତରାୟ । ଏହା ସହିତ ଦରକାର ପଡିଲେ ବିଏମସି ଅଫିସକୁ ଘେରାଉ କରାଯିବ ମଧ୍ୟ ସେ କହିଛନ୍ତି । ପର୍ୟ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ନନ୍ଦନକାନନକୁ ବନ୍ଦ ରଖାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଫାଟକରେ ତାଲା ପକାଇ ଦେଇଛନ୍ତି। ଅନ୍ୟପଟେ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ନନ୍ଦନକାନନ ବନ୍ଦ ଥିବାରୁ ନିରାଶ ହୋଇ ଫେରୁଥିବାରି ଦେଖିବାକୁ ମିଲିଛି ।