ବିଜେପୁର ( ଏଟିଆର ବ୍ୟୁରୋ): ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ଆସନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ଋଣକୌଶଳ ଆରମ୍ଭ କରି ସାରିଲେଣି । ବିଜେପୁରରେ ବିଜେଡି ଗଡ ରଖିବାକୁ ଅପ୍ରାଣ ଉଦ୍ୟମ କରୁଥିବା ବେଳେ ବିଜେପି ପ୍ରାର୍ଥୀ କାହାକୁ କରିବ ତାକୁ ନେଇ ଅଙ୍କକଷୁଛି । ତେବେ ରାଜ୍ୟରେ ଏବେ ଧିମେଇ ପଡିଥିବା କଂଗ୍ରେସ ଏଥର ଟିକେ ଆଗୁଆ ରହିଛି । ବିଜେପୁରରେ କଂଗ୍ରେସ ତାର ଜିଲ୍ଲା ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଛି ।
ଆସନ୍ତା ୩୦ ତାରିଖରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ କଂଗ୍ରେସ ଏଥର ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ ବିଜେପି କିନ୍ତୁ ଏଯାବତ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ଗତ ୨୫ ତାରିଖରେ ନବୀନ ନିବାସରେ ହୋଇଥିବା ବୈଠକରେ ବିଜେଡି ଆସନ୍ତା ୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବ ବୋଲି ନିଷ୍ପତ୍ତି ହୋଇଥିଲେ ମଧ୍ୟ ପ୍ରାର୍ଥୀ ଚୟନ କରି ନାହିଁ ।
ଅନ୍ୟପଟେ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ଏଠି ପୁଣି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଏଥିରେ ସୁପ୍ରିମୋ ବିଧିବଧ ମୋହର ମାରି ନାହାନ୍ତି । ଯାହା ଫଳରେ ବିଜେଡି ଏଠି କାହାକୁ ପ୍ରାର୍ଥୀ କରିବ ତାହା ସସପେନ୍ସରେ ରହିଛି ।
ସୂଚନାଯୋଗ୍ୟ ଗତ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ୨ ଟି ଆସନ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ । ପରେ ବିଜେପୁର ଆସନକୁ ଛାଡି ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେଣୁ ଉକ୍ତ ଆସନ ପାଇଁ ପୁଣି ଥରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ସରିଛି । ଏହି ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ ମତଦାନ ହେବ । ୨୪ ରେ ଭୋଟ ଗଣତି ହେବ ।