ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପୂଜା ମଣ୍ଡପ ମାନଙ୍କରେ ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେ ଦେବୀ ପୀଠରେ ଆଜି ସପ୍ତମୀ ପୂଜା ଅନଉଷ୍ଠିତ ହେଉଛି । ଏହି ଅବସରରେ ଆଜି ସକାଳୁ ସକାଳୁ ଦେବୀ ପୀଠ ମାନଙ୍କରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇଯାଇଛି । ସେହିପରି ପୂଜା ମଣ୍ଡପ ଗୁଡିକ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । କହିବାକୁ ଗଲେ ଆଜି ଠାରୁ ଏକ ପ୍ରକାର ଦଶହରା ଉତ୍ସାହ ଦେଖିବାକୁ ମିଳିବ । ଏଥିପାଇଁ ପୂଜା ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ନବରାତ୍ରୀ ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ରୂପରେ ଦେବୀ ପୀଠ ମାନଙ୍କେରେ ପୂଜା ପାଇ ଆସୁଛନ୍ତି ମା । ଯଦି ଆମେ ଦେବୀ ପୀଠ ମାନଙ୍କ କଥା କହିବା ଆଜି ସକାଳୁ ଜଗତସିଂହପୁରର ମା ଶାରଳାଙ୍କ ମନ୍ଦିର,କାକଟପୁରରେ ମା ମଙ୍ଗଳା, ଯାଜପୁରରେ ମା ବିରଜା, ଘଟଗାଁ ତାରିଣି ମନ୍ଦିରରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବାରୁ ଭକ୍ତଙ୍କ ଗହଳି ଲାଗି ରହିଛି ।
ଆଜି ନବରାତ୍ରୀର ଷଷ୍ଠୀ ପୂଜା ମା’ ଦୁର୍ଗା କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରାକ୍ଷସଙ୍କୁ ବଧ କରିବା ଲାଗି ଦେବୀ ମହର୍ଷି କତ୍ୟଙ୍କ ଝିଅ ଭାବେ ଜନ୍ମ ନେଇଥିବାରୁ ତାଙ୍କୁ କାତ୍ୟାୟନୀ ବୋଲି କୁହାଯାଏ । ପଦ୍ମଫୁଲ, ଖଡ୍ଗ ଏବଂ ସ୍ୱର୍ଣ୍ଣ ଆଭୁଷଣରେ ଶୁସଜିତ ଚର୍ତୁଭୂଜା ଦେବୀ ସିଂହ ଉପରେ ବସି ବିରାଜମାନ କରିଥାନ୍ତି । ମା’ଙ୍କ ଏହି କାତ୍ୟାୟନୀ ବେଶକୁ ପୂଜାର୍ଚ୍ଚନା କଲେ ଧର୍ମ, ଅର୍ଥ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।