ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀ ଖୁବ୍ ଶୀଘ୍ର କଂଗ୍ରେସ ମୁକ୍ତ ହୋଇପାରେ । କାରଣ ରାୟବରେଲୀରୁ ଦୁଇ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି । ଉତ୍ତରପ୍ରଦେଶ ବିଧାନସଭାର ସର୍ବମୋଟ ୪୦୩ ସିଟ୍ ରୁ କଂଗ୍ରେସ ପାଖରେ ୭ ବିଧାୟକ ଅଛନ୍ତି, ଯେଉଁଥିରୁ ୨ ବିଧାୟକ ରାୟବରେଲିର ।
ଖବରମୁତାବକ, ଦୁଇ ବିଧାୟକ ସେମାନଙ୍କ ଦଳରୁ ବହିଷ୍କାର ହେବା ପାଇଁ ଅପେକ୍ଷା କରିଛନ୍ତି, ଯାହାଦ୍ୱାରା ସେମାନଙ୍କ ସଦସ୍ୟତା ରଦ୍ଦ କରାନଯାଉ । ରାୟବରେଲିର ଦୁଇ ବିଧାୟକ ମଧ୍ୟରେ ଆଦିତି ସିଂ ଏବଂ ରାକେଶ ସିଂ ରହିଛନ୍ତି ।
ବୁଧବାର ଦିନ ଆଦିତି ସିଂ ଦଳରୁ ହଟି ବିଧାନ ସଭାର ବିଶେଷ ସଭାରେ ଭାଗ ନେବା ସହ ସେଠାରେ ସେ ଯୋଗିଆଦିତ୍ୟନାଥଙ୍କ ବିକାଶ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ପ୍ରକୃତରେ ଯୋଗୀ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ବିଧାନସଭା ସର୍ତ୍ତ ର ବହିଷ୍କାର କରିବା ପାଇଁ କଂଗ୍ରେସ ନିଷ୍ପତି ନେଇଥିଲା । ସେପଟେ ପ୍ରିିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ପଦ ଯାତ୍ରାରେ ନିଜକୁ ଦୂରେଇ ରଖିଥିଲେ ଆଦିତି ସିଂ ।
ଏନେଇ ସେ ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି କି, ମୁଁ ଯାହା କରିଛି ତାହା ଠିକ୍ ଥିଲା, ଏବଂ ଦଳ ଯାହା ନିଷ୍ପତି ନେବ ତାହା ମୋତେ ସ୍ୱୀକାର ।
ସେହିପରି କଂଗ୍ରେସର ବିଧାନ ପରିଷଦ ସଦସ୍ୟ ଦିନେଶ ସିଂଙ୍କ ଛୋଟ ଭାଇ ହେଉଛନ୍ତି ରାକେଶ ସିଂ । ଇତି ମଧ୍ୟରେ କଂଗ୍ରେସ ପକ୍ଷରୁ କୁହାଯାଇଛି, ଆଦିତି ସିଂ ଏବଂ ରାକେଶ ସିଂଙ୍କ ବିଷୟରେ ସୋନିଆ ଗାନ୍ଧୀ ନିଷ୍ପତି ନେବେ, କାରଣ ଏହି ମାମଲାରେ ତାଙ୍କ ସଂସଦୀୟ କ୍ଷେତ୍ର ପାଇଁ ଚିନ୍ତାର ବିଷୟ ।
ଅପରପକ୍ଷେ ଗୁରୁବାର ଦିନ କଂଗ୍ରେସରୁ ପୂର୍ବ ସାଂସଦ ରମାକାନ୍ତ ଯାଦବଙ୍କୁ ବହିଷ୍କାର କରାଯାଇଛି ।