ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁଇ ଦିନ ବିତି ଗଲାଣି ହେଲେ କାଠଯୋଡି ନଦୀକୁ ଡେଇଁଥିବା ଯୁବକଙ୍କ ପତା ମିଳୁନି । ଯୁବକଙ୍କୁ ଖୋଜିବା ପାଇଁ ଗତକାଲିଠାରୁ ଲାଗି ପଡିଛନ୍ତି ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗ । ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ଖବରମୁତାବକ, ପାରିବାରିକ କଳହ ଯୋଗୁଁ ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ନଦୀକୁ ଡେଈଁ ପଡିଥିଲେ । ଗତକାଲି ଦେବବ୍ରତ ତାଙ୍କ ପତ୍ନୀ ଏବଂ ପୁଅକୁ ବାଇକ୍ ରେ ବସାଇ ଯାଉଥିବା ବେଳେ ରାସ୍ତାରେ ପତି, ପତ୍ନୀଙ୍କ ମଧ୍ୟରେ କିଛି କଥାକୁ ନେଇ କଳହ ଲାଗିଥିଲା । ଏହାପରେ ଦେବବ୍ରତଙ୍କ ରାଗ ଏତେ ମାତ୍ରାରେ ମୁଣ୍ଡକୁ ଚଢିଯାଇଥିଲା ଯେ ସେ କାଠଯୋଡି ପୋଲ ଉପରେ ଗାଡିକୁ ରଖି ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ । ସେପଟେ ନଦୀର ସ୍ରୋତ ପ୍ରଖର ଥିବା ହେତୁ ଚାହୁଁ ଚାହୁଁ ଦେବବ୍ରତ ଭାସିଯାଇଥିଲେ । ଏହାକୁ ଦେଖି ପତ୍ନୀ ମଧ୍ୟ ପୁଅକୁ ଧରି ନଦୀକୁ ଡେଇଁ ପଡିବା ପାଇଁ ଚେଷ୍ଟା କରିଥିଲେ । ହେଲେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କ ପତ୍ନୀକୁ ଧରିପକାଇବାରୁ ସେ ନଦୀକୁ ଡେଇଁ ପାରି ନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହିଁଚିବା ସହ ଅଗ୍ନିଶମ ବିଭାଗ ଟିମ୍ ଏବଂ ଓଡ୍ରାମ ଟିମ୍ ନଦୀରେ ଦେବବ୍ରତଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ ।