ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଏବେ ଆମେରିକି ‘ଏୟାରଫୋର୍ସ ୱାନ୍’ ଭଳି ବିମାନରେ ଯାତ୍ରା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିମାନ ଯେକୌଣସି ପ୍ରକାରର ମିସାଇଲକୁ ଚକମା ଦେବାରେ ପୁରା ମାହିର । ଏୟର ଇଣ୍ଡିଆ ୱନ ଫ୍ଲିଟ୍ ରେ ୨୦୨୦ ପର୍ଯ୍ୟନ୍ତ ଦୁଇଟି ବୋଇଙ୍ଗ ୭୭୭ ବିମାନ ସାମିଲ ହେବ । ଯାହା ଅତ୍ୟାଧୁନିକ ଟେକ୍ନୋଲଜି ସହିତ ସୁରକ୍ଷାତ୍ମକ ରୂପେ ବି ଉନ୍ନତ ହେବ ।
ଏହି ବିମାନକୁ ଭାରତୀୟ ବାୟୁସେନାର ପାଇଲଟ ଅପରେଟ୍ କରିବେ । ମାତ୍ର ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଇଂଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ଦ୍ୱାରା ବିମାନର ଦେଖାରଖା କରାଯିବ । ଏପର୍ଯ୍ୟନ୍ତ ଦେଶରେ ଭିଭିଆଇପି ବିମାନ ଉଡାଣ ଦାୟିତ୍ୱ ଏୟାର ଇଣ୍ଡିଆ ପାଇଲଟଙ୍କ ହାତରେ ରହିଛି ।
ମିଡିଆ ରିପୋର୍ଟ ମୁତାବକ, ଏହି ବିମାନକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଦ୍ୱାରା ପ୍ରୟୋଗ କରାଯିବ । ବର୍ତ୍ତମାନ ଦେଶର ଏହି ତିନି ସର୍ବୋଚ୍ଚ ବ୍ୟକ୍ତି ଏୟାର ଇଣ୍ଡିଆ ବୋଇଙ୍ଗ ବି ୭୪୭ ବିମାନରେ ଉଡାଣ ଭରୁଛନ୍ତି ।