ବାଲେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଗୋରୁ ଚାଲାଣ ବଢିବାରେ ଲାଗିଛି । ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେଉଥିବା ବେଳେ ୮ଟି ଟ୍ରକ ଧରାପଡିଛି । ବାଲେଶ୍ୱର ଓ ଢେଙ୍କାନାଲରୁ ୮ଟି ଟ୍ରକକୁ ଜବତ କରାଯାଇ ପ୍ରାୟ ୧ହଜାରରୁ ଅଧିକ ଗୋରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ପାଖରୁ ୬ଟି ଗୋରୁ ବେଝେଇ ଟ୍ରକକୁ ଜବତ କରିଛି ପୋଲିସ । ଗୋରୁଙ୍କୁ ଚାଲାଣ କରାଯାଉ ଥିବାର ଖବର ପାଇ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢାଉ କରିଥିଲେ । ଚଢାଉ ସମୟରେ ମାଫିଆ ମାନେ ପୋଲିସ ଉପରକୁ ଗୁଳି ମାଡ କରିଥିଲେ । ତେବେ ପୋଲିସ ୩ଜଣ ମାଫିଆଙ୍କୁ ଗିରଫ କରିବା ସହ ଟ୍ରକ ଗୁଡିକୁ ଜବତ କରି ଗୋରୁଙ୍କୁ ଉଦ୍ଧାର କରିଛି । ଗିରଫ ହୋଇଥିବା ମାଫିଆ ମାନଙ୍କ ପାଖରୁ ଜଣା ପଡିଛି ଗୋରୁ ମାନଙ୍କୁ ତିଗିରିଆରୁ କୋଲକାତାକୁ ଚାଲାଣ କରାଯାଉଥିଲା ।
ସେହିପରି ବାଲେଶ୍ୱର ଅଞ୍ଚଳରୁ ୨ଟି ଗୋରୁ ବେଝେଇ ଟ୍ରକ ଜବତ କରିଛି ପୋଲିସ । ୫ଟି ଟ୍ରକ ଗୋରୁଙ୍କୁ ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ମାନେ ଦୁଇଟି ଟ୍ରକକୁ ଅଟକାଇ ପଚରାଉଚରା କରିଥିଲେ । ତେବେ ଖବର ପାଇ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ୩ଟି ଟ୍ରକ ଖସି ଯାଇଥିବାରୁ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଛି । ପୋଲିସ ତଦନ୍ତ ଆରମ୍ଭ କରିବା ସହ ଏହି ଗୋରୁ ମାନଙ୍କୁ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବା ସନ୍ଦେହ କରୁଛି ।