କୋରାପୁଟ(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ଗର୍ଭବତୀ ମାନଙ୍କ ପାଇଁ ଜନନୀ ଯୋଜନା କରାଯାଇଛି । ଯେଉଁ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଘରୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଇ ପୁଣି ଘରେ ଆଣିକି ଛାଡିବା ବ୍ୟବସ୍ଥା ରହିଛି । ହେଲେ ବହୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରୁ ନଥିବାର ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳରେ । ଆଜି ବନ୍ଧୁଗାଁର ଦଳଗୁଭତ୍ରପାଲି ଅଞ୍ଚଳରେ ଜଣେ ମହିଳାଙ୍କୁ ପ୍ରସବ ଜନ୍ତ୍ରଣା ହୋଇଥିଲା ।
ତେବେ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇ ପାରି ନଥିଲା । କିଛି ଉପାୟ ନପାଇ ପରିବାର ଲୋକ ଗର୍ଭବତୀଙ୍କୁ ଭାର ସାହାର୍ଯ୍ୟରେ ମୁଖ୍ୟ ରାସ୍ତା ଉପରକୁ ଆଣିଥିଲେ । ହେଲେ ଗର୍ଭବତୀ ଜଣଙ୍କ ରାସ୍ତା ଉପରେ ପ୍ରସବ କରିଥିଲେ । ଏହା ପରେ ଆମ୍ବୁଲାନ୍ସ ମାଧ୍ୟମରେ ମହିଳା ଓ ତାଙ୍କ ଶିଶୁ ପୁତ୍ରଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ମହିଳା ଓ ତାଙ୍କ ପୁତ୍ରଙ୍କର ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ମହିଳା ଓ ତାଙ୍କ ପୁତ୍ର ସୁସ୍ଥ ଥିବାର ଜଣା ପଡିଛି । ରାଜ୍ୟ ସରକାର ଗାଁର ବିକାଶ କରିବା ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ କୋରାପୁଟ ଭଳି ଅନେକ ଜାଗାରେ ଗାଁକୁ ଖଣ୍ଡେ ଭଲ ରାସ୍ତା ନାହିଁ । ତେବେ ଏହି ଘଟଣା ପରେ ସ୍ଥାନୀୟ ବନ୍ଧୁଗାଁ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।