ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାରତର ଅର୍ଥବ୍ୟବସ୍ଥାକୁ ଜଣେ ମଣିଷ ଏକୁଟିଆ ନିଜ ଇଛାରେ ଚଳାଇ ପାରିବ ନାହିଁ । ଭାରତର ଅର୍ଥବ୍ୟବସ୍ଥା ବହୁତ ବଡ ହୋଇଯାଇଛି । ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହାକୁ ଚଳାଇବା ଅସମ୍ଭବ । ଏହାର ଉଦାହରଣ ଆମେ ସମସ୍ତେ ଦେଖିସାରିଛେ ।
ଏନେଇ ରାଜନ ଅନେକ ଥର କହିସାରିଛନ୍ତି, ଯଦି ଜଣେ ବ୍ୟକ୍ତି ଅର୍ଥବ୍ୟବସ୍ଥା ବିଷୟରେ ନିର୍ଣ୍ଣୟ ନେବ । ତେବେ ଏହା ଘାତକ ସୃଷ୍ଟି ହେବ । ସେ କହିଛନ୍ତି ରାଜକୋଷୀୟ ଘାଟା ବଢିବା ଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିବ । ଯେଉଁଥିରୁ ବାହାରିବା କଷ୍ଟକର ହୋଇପଡିବ ।
୨୦୧୬ ର ପ୍ରଥମ ତିନିମାସରେ ବିକାଶ ଦର ୯ ପ୍ରତିଶତ ପାଖାପାଖି ରହିଥିଲା, ଯାହା ଏବେ ହ୍ରାସ ହୋଇ ୫.୩ ପ୍ରତିଶତକୁ ଆସି ଯାଇଛି । ଦେଶରେ ଆର୍ଥିକ ସେକ୍ଟର ଏବଂ ବିଦ୍ୟୁତ ସେକ୍ଟରକୁ ସହାୟତାର ଆବଶ୍ୟକତା ରହିଛି, କିନ୍ତୁ ଏହାପରେ ବିକାଶ ଦରକୁ ବୃଦ୍ଧି କରିବା ପାଇଁ ନୂତନ କ୍ଷେତ୍ର ପକ୍ଷରୁ ଧ୍ୟାନ ଦିଆଯାଇ ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି ଏହି ଆର୍ଥିକ ମାନ୍ଦାବସ୍ଥା ପାଇଁ ବିମୁଦ୍ରିକରଣ ଏବଂ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସଟି ସମ୍ପୂର୍ଣ୍ଣ ଦାୟୀ ଅଟେ । ଯଦି ଏହି ଦୁଇଟି ଜିନିଷ ହୋଇନଥାନ୍ତା ତାହାଲେ ଏବେ ଅର୍ଥବ୍ୟବସ୍ଥାରେ କୌଣସି ମାନ୍ଦାବସ୍ଥା ଆସିନଥାନ୍ତା । ପୂର୍ବରୁ କୌଣସି ସୂଚନା ନଦେଇ ସରକାର ଅଚାନକ୍ ବିମୁଦ୍ରିକରଣ କରିଥିଲେ । ପ୍ରକୃତରେ ଏଭଳି ପଦକ୍ଷେପ ନେବା ପୂର୍ବରୁ ବିଚାର ବିମର୍ଶ କରିବା ଉଚିତ୍ ଥିଲା । ବିମୁଦ୍ରିକରଣ ଯୋଗୁଁ ଲୋକଙ୍କୁ ଅନେକ କ୍ଷତି ସହିବାକୁ ପଡିଲା ।