ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମର ପ୍ରତ୍ୟେକ ମାସର ବିଶେଷ ମହତ୍ୱ ରହିଛି । ମାତ୍ର ଜ୍ୟୋତିଷ ଶାସ୍ତ୍ର ମୁତାବକ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଇଥାଏ । ଆଜିଠାରୁ ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ । ଏହି ମାସରେ ସ୍ନାନ, ଦାନ ଏବଂ ଉପବାସ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହେବା ସହ ମନୁଷ୍ୟକୁ ମୁକ୍ତି ମିଳିଥାଏ ।
ଏହି ମାସରେ ଭଗବାନ ଶିବ ଏବଂ ଶ୍ରୀ ବିଷ୍ଣୁ ତଥା କାର୍ତ୍ତିକେୟ ଏବଂ ବୃନ୍ଦାବତୀଙ୍କୁ ଆରଧନା କରିବାର ମହତ୍ୱ ରହିଛି । ଏମାନଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କାର୍ତ୍ତିକ ମାସରେ ସ୍ନାନ ଦାନ କରିବାର ମହତ୍ୱ ବିଷୟରେ..
ହରାଇଥିବା ମାନ ସମ୍ମାନ ପ୍ରାପ୍ତି ପାଇଁ ଭଗବାନ ସୂର୍ଯ୍ୟନାରାୟଣଙ୍କ ବିଶେଷ ଉପାସନା ଫଳଦାୟୀ ହୋଇଥାଏ । କାର୍ତ୍ତିକ ମାସରେ ସୂର୍ଯ୍ୟ ତୁଳା ରାଶିରେ ହେବା ଯୋଗୁଁ ସେହି ରାଶିର ବ୍ୟକ୍ତି ସୂର୍ଯ୍ୟଦୟ ସମୟରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାନ ସମ୍ମାନ ପ୍ରାପ୍ତି ହୋଇଥାଏ । ସେହିପରି ତମ୍ବା ଢାଳରେ ଏକ ଲାଲ ରଙ୍ଗର କପଡା ବାନ୍ଧି ସେଥିରେ ଜଳ, ଚିନି, ଲାଲ ଗୁଲାପ ପାଖୁଡା ଏବଂ କେଶର ପକାଇ ଭଗବାନ ସୂର୍ଯ୍ୟନାରାୟଣକୁ ଅର୍ଘ୍ୟ ଦିଅନ୍ତୁ । ଏହାସହିତ ତିନି ଥର ପରିକ୍ରମା କରି ଗାୟତ୍ରି ମନ୍ତ୍ର ଜପନ୍ତୁ ଏବଂ ମନ ଭିତରେ ମାନ ସମ୍ମାନ ପ୍ରାପ୍ତି ପାଇଁ ପ୍ରାର୍ଥନା କରନ୍ତୁ ।
କାର୍ତ୍ତିକ ମାସରେ ଲାଭ ପ୍ରାପ୍ତି ପାଇଁ ସକାଳୁ ସୂର୍ଯ୍ୟଦୟ ହେବା ପୂର୍ବରୁ ସ୍ନାନ କରନ୍ତୁ । ଘରର ପୂର୍ବ କୋଣକୁ ଗଙ୍ଗାଜଳ ଯୋଗେ ସଫାକରି ପିଢା ଉପରେ ଏକ ଲାଲ କପଡା ବିଛାଇ ସୂର୍ଯ୍ୟ ନାରାୟଣ ଫଟୋ ସ୍ଥାପନା କରନ୍ତୁ । ଏହାପରେ ଏକ ଘିଅଦୀପ ଜଳାନ୍ତୁ ଏବଂ ଆସନରେ ବସି ସୂର୍ଯ୍ୟନାରାୟଣଙ୍କ ସାମ୍ନାରେ ତିନି ଥର ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ । ଶେଷରେ ତମ୍ବା ଢାଳରେ ଅର୍ଘ୍ୟ ଦିଅନ୍ତୁ ଏବଂ ନେତ୍ରହୀନ ବ୍ୟକ୍ତିଙ୍କୁ ମିଠା ଭୋଜନ କରାନ୍ତୁ ।