ବାଲେଶ୍ୱର(ଏଟିଆର ବ୍ୟୁରୋ): ପୁଣି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ ସୁଗାର ଜବତ ହୋଇଛି । ଜଳେଶ୍ୱରରୁ ରାଜ୍ୟର ବିଭିନ୍ନ ଜାଗାକୁ ବ୍ରାଉନ ସୁଗାର ଚାଲାଣ କରାଯାଉଥିବାର କଥା ବହୁ ବାର ଦେଖିବାକୁ ମିଳିଛି । ଏହାକୁ ନେଇ ପୋଲିସ ବାରମ୍ବାର ଜଳେଶ୍ୱର ଅଞ୍ଚଳରେ ବ୍ରାଉନ ସୁଗାର ଓ ବେପାରୀ ମାନଙ୍କୁ ଧରିବା ପାଇଁ ଚଢାଉ ମଧ୍ୟ କରିଥାଏ । ତେବେ ଆଜି ସକାଳେ ପୋଲିସ ଜଲେଶ୍ୱର ଅଞ୍ଚଳରେ ଚଢାଉ କରି ପାଖାପାଖି ୩୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ।
ସୂଚନା ଅନୁସାରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ଟିମ ଓ ଜଲେଶ୍ୱର ଗୁଇନ୍ଦା ଟିମ ମିଳିତ ଭାବେ ଜଳେଶ୍ୱର ଅଞ୍ଚଳର ଶେଖବାଡାରେ ଥିବା ସପନ ପ୍ରଧାନଙ୍କ ଘରେ ବ୍ରାଉନ ସୁଗାର ଥିବା ଖବର ପାଇଥିଲା । ତୁରନ୍ତ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ଟିମ ଓ ଜଲେଶ୍ୱର ଗୁଇନ୍ଦା ଟିମ ସପନଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ସପନଙ୍କ ଘରୁ ୩୦୫ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲେ । ଏହା ସହ ସପନଙ୍କୁ ଗିରଫ କରିଥିଲେ । ହେଲେ ମୁଖ୍ୟ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଇଥିବାର ସୂଚନା ରହିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ବଜାରରେ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଲନ କରାଯାଉଛି ।