ଉତ୍ତରପ୍ରଦେଶ(ଏଟିଆର ବ୍ୟୁରୋ):ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶେଷ ଶୁଣାଣି ହୋଇଯାଇଥିବା ବେଳେ ରାୟକୁ ସଂରକ୍ଷିତ କରିରଖାଯାଇଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି ।ଯୋଗୀ ସରକାର ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରି ଦେଇଛନ୍ତି । ସୁପ୍ରିମକୋର୍ଟ ନଭେମ୍ବର ୧୭ ସୁଦ୍ଧା ସଂରକ୍ଷିତ ରାୟ ପ୍ରକାଶ କରିପାରନ୍ତି । ଉତ୍ତରପ୍ରଦେଶ ରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏଥିପାଇଁ ଯୋଗୀ ସରକାର ନଭେମ୍ବର ୩୦ ଯାଏଁ ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ଛୁଟିରେ ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଅଧିକାରୀ ମୁଖ୍ୟ କାର୍ଯ୍ୟଳୟରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ କହିଛନ୍ତି । ଏହା ସହ ଆଗକୁ ଦୀପାବଳି ଏବଂ ଅଯୋଧ୍ୟା ମାମଲାର ରାୟ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯାଇଛି । ଅଯୋଧ୍ୟା ମାମଲାର ଶେଷ ଶୁଣାଣି ଅନ୍ତିମ ପର୍ଯ୍ୟୟରେ ଥିବା ହେତୁ ଯୋଗୀ ସରକାର ଆଗୁଆ ଅକ୍ଟୋବର ୧୩ରୁ ହିଁ ୧୪୪ଧାରା ଲାଗୁ କରିଛନ୍ତି ଏବଂ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରିବା ସହ ରାଜ୍ୟର ସମସ୍ତ ସ୍ଥାନରେ ଆଲର୍ଟ ହୋଇରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।