ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶରୁ ବିଦାୟ ନେଲା ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪ ମାସ ୬ ଦିନ କାଳ ଦେଶରେ ଦେଶରେ ମୌସୁମୀ ବାୟୁ ସକ୍ରିୟ ରହିବା ପରେ ବିଦାୟ ନେଇଛି । ପାଣିପାଗ ବିଭାଗ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଚଳିତ ବର୍ଷ କେତେକ ସ୍ଥାନରେ ନିଅଣ୍ଟିଆ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।
ତେବେ ମୌସୁମୀ ବିଦାୟ ନେଇଥିଲେ ମଧ୍ୟ ଆଉ ୨ ରୁ ୪ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ବର୍ଷା ହୋଇପାରେ । ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାକି ଦକ୍ଷିଣ କର୍ଣ୍ଣାଟକ ପର୍ୟ୍ୟନ୍ତ ଲମ୍ବିଛି। ସେହିପରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରଠାରୁ ତାମିଲନାଡ଼ୁ ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରପ୍-ଲାଇନ୍ ସୃଷ୍ଟି ହୋଇଥିବାରୁ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ।
ଚଳିତ ବର୍ଷ ୧୧ ଦିନ ବିଳମ୍ବରେ ମୌସୁମୀ ବାୟୁ ପ୍ରଭାହିତ ହୋଇଥିଲେ ମଧ୍ୟ ପ୍ରଥମ ଗୋଟିଏ ମାସ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା । ଅନୁମାନ କରାଯାଉଥିଲା ଏବର୍ଷ ବର୍ଷାରେ ଚାଷ ପ୍ରଭାବିତ ହେବ । ମାତ୍ର ପରେ ବର୍ଷା ସ୍ୱାଭାବିକ ହୋଇଥିଲା । ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଛି ।