ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଇଏସଆଇ ମେଡ଼ିକାଲ ପାଇଁ ସବୁ କ୍ରାଇଟେରିଆ ପୂରଣ କଲା ପରେ ହିଁ ଏହାର ପ୍ରତିଷ୍ଠା ସମ୍ପର୍କରେ ବିଚାର କରାଯିବ ବୋଲି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଏକ ସମ୍ମିଳନୀରେ କହିଛନ୍ତି । ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟର ଶ୍ରମମନ୍ତ୍ରୀ ଓ ସଚିବଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷତା କରିଛନ୍ତି ।
ପ୍ରତି ଦୁଇବର୍ଷରେ କେଦ୍ରୀୟ ସମିତି ବୈଠକ ଅନୁଷ୍ଠିତ ହୋଇଥାଏ । ଏଥର ଭୁବନେଶ୍ୱରରେ ଏହା ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଶ୍ରମିକମାନେ କିପରି କେନ୍ଦ୍ରର ଯୋଜନା ସମ୍ପର୍କରେ ଜାଣିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ପାରାଦ୍ୱୀପ , ଜୟପୁର , ବାଲେଶ୍ୱର , ବ୍ରହ୍ମପୁରରେ ଇଏସଆଇ ମେଡ଼ିକାଲ ପ୍ରତିଷ୍ଠା କରିବା ପାଇଁ ଦାବୀ କରିଥିଲେ । ଯାହାକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ପ୍ରତ୍ୟାଖାନ କରିଦେଇଥିଲେ । ସେ କହିଥିଲେ , ଆମେ କେବଳ ଶ୍ରମିକ କଲ୍ୟାଣ ପାଇଁ କାର୍ଯ୍ୟ କରିପାରିବୁ ଏବଂ ରାଜ୍ୟ ସରକାର ଇଏସଆଇ ମେଡ଼ିକାଲ ପାଇଁ ଯେଉଁ ସବୁ କ୍ରାଇଟେରିଆ ଆବଶ୍ୟକ ତାହା ପୂରଣ କଲା ପରେ ହିଁ ଏହାର ପ୍ରତିଷ୍ଠା ସମ୍ପର୍କରେ ବିଚାର କରାଯିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା , ବିହାର , ଝାଡ଼ଖଣ୍ଡ , ଛତିଶଗଡ଼ , ପଶ୍ଚିମବଙ୍ଗ , ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଶ୍ରମ ମନ୍ତ୍ରୀ ଓ ସଚିବ ମାନେ ଉପସ୍ଥିତ ହୋଇଛନ୍ତି ।