ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଧନତେରସ । ଏହି ଅବସରରେ ସୁନା ଗହଣାରେ ସଜେଇ ହୋଇଛି ସୁନା ଦୋକାନ । ବ୍ୟବସାୟକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ ଦୋକାନରେ ବିଭିନ୍ନ ଭେରାଇଟର ଗହଣା ସଜେଇ ରଖିଛନ୍ତି । ଏଥର ବଜାରକୁ ବ୍ୟବସାୟୀମାନେ ପାଖାପାଖି ୧୨ କ୍ୱିଣ୍ଟାଲ ସୁନା ଆଣିଥିବା କୁହାଯାଉଛି। ଆଜି ରାଜଧାନୀରେ ସୁନା ଦାମ ୧୦ ଗ୍ରାମ ପିଛା ୩୭୬୦୦ ଟଙ୍କା ପାଖାପାଖି ରହିଥିବାବେଳେ ରୁପା କେଜିପିଛା ଦାମ ୪୬୯୦୦ ଟଙ୍କା ପାଖାପାଖି ରହିଛି।
ଗତଥର ଅପେକ୍ଷା ଏଥର ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ମାନେ ଆଶା ରଖିଛନ୍ତି । ଅନ୍ୟପଟେ ଗ୍ରାହକଙ୍କୁ ଆକୃଷ୍ଟ କରି ଭଲ ବ୍ୟବସାୟ ପାଇଁ ବଡବଡ ସୁନା ଦୋକାନ ମାନେ ଭଲ ଅଫର ମଧ୍ୟ ରଖିଛନ୍ତି ।
ସୂଚନାଯୋଗ୍ୟ ହିନ୍ଦୁ ଧର୍ମରେ ଧନତେରସ ମାନେ ଧନ ତ୍ରୟୋଦଶୀର ଖୁବ୍ ମହତ୍ୱ ରହିଛି । ଏହି ଦିନ ଆରୋଗ୍ୟ ଦେବତା ଧନବନ୍ତରୀ, ଧନ ଦେବୀ ମା’ ଲକ୍ଷ୍ମୀ ଏବଂ ଧନ ସମ୍ପତ୍ତିର ଅଧିପତି କୁବେରଙ୍କୁ ବିଧି ବିଧାନର ସହ ପୂଜାର୍ଚ୍ଚନା କରାଯାଇଥାଏ । ଧନତେରସ ଦିନ ସୁନା, ଚାନ୍ଦୀ, ବାସନ, ଗଣେଶ ମୂର୍ତ୍ତି, ଲକ୍ଷ୍ମୀ ମୂର୍ତ୍ତିଆଦି କିଣାଯାଇଥାଏ । ଏଭଳି କରିବା ଦ୍ୱାରା ବର୍ଷ ସାରା ଧନ ଦେବୀ ଲକ୍ଷ୍ମୀଙ୍କ କୃପାଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।