ଭୁବନେଶ୍ୱର(ଏଟିଆର ବ୍ୟୁରୋ) ୧୯୯୯ ଅକ୍ଟୋବର ୨୯ ତାରିଖ ସାରା ଓଡିଶା ପାଇଁ ଅଶୁଭ ଦିନ । ଯେଉଁ ଦିନର କଥା ମନେ ପଡିଲେ ଆଜି ବି ରୁମ ମୂଳ ଟାଙ୍କୁରୀ ଉଠେ । ଆଉ ହୃଦସ୍ପନ୍ଦନ ବଢିଯାଏ । ଯିଏ ଦେଖିଛି ସେ ହିଁ ଅନୁଭବ କରିଛି ପ୍ରକୃତିର ଦାଣ୍ଡବ ଯେ କେତେ ଭୟଙ୍କର ହୋଇପାରେ । ଗୋଟେ ପଟେ ଝଡ଼ର ତାଣ୍ଡବ ,ପବନର ବେଗ ଆଉ ଅଶାନ୍ତ ସମୁଦ୍ର ଏକାକାର ହୋଇଗଲେ । ଆଉ ରଚିଲେ ମୃତୁର ତାଣ୍ଡବ । ଘଂଟା ପ୍ରତି ପ୍ରାୟ ୨୦୦ କିମି ବେଗରେ ବହିଲା ପବନ । ମହାବାତ୍ୟାର ସେହି କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ବସଂସ୍ତୁପ ପାଲଟିଗଲା ଘରଦ୍ୱାର । ଯେଉଁଥିରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ । ଚାରିଆଡେ ଖାଲି ଶବ ଆଉ ଶବ ।
ଏହି ପ୍ରଳୟଙ୍କାରୀ ମହାବାତ୍ୟାରେ ପ୍ରାୟ ୧୦ ହଜାରରୁ ଅଧିର ଲୋକ ପ୍ରାଣ ହରାଇଥିବା ବେଳେ ପାଖାପାଖି ୨୦ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ପାଖାପାଖି ୧୫ ଦିନ ଠାରୁ ଅଧିକ ସମୟ ଧରି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏରସମା ବ୍ଲକ । ଏହି ଅଞ୍ଚଳ । ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଜୀବିକା ଉଜାଡି ଦେଇଥିଲା ମହାବାତ୍ୟା । ସାରା ଓଡିଶାର ମେରୁ ଦଣ୍ଡ ଭାଙ୍ଗି ଦେଇଥିଲା । କୁହାଯାଏ ଭାରତ ମହାସାଗରରେ ଏହାଥିଲା ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ । ଆଉ ଏହି ୨୦ ବର୍ଷ ଭିତରେ ଓଡିଶା ସାମ୍ନା କରିଛି ହୁଡହୁଡ , ଫନି ଭଳି ଛୋଟବଡ ବାତ୍ୟା । ହେଲେ ଆଜି ବି ଓଡିଶା ବାସୀଙ୍କ ପାଇଁ ଅଭୁଲା ଦିନ ହୋଇ ରହିଛି ଅକ୍ଟୋବର ୨୯ । ଆଜିବି ଅକ୍ଟୋବର ମାସ ଆସିଲେ ସମୁଦ୍ର କୂଳିଆ ଲୋକଙ୍କ ମନରେ ସେଦିନର ସେହି ଅତୀତର ଚିତ୍ର ତାଜା ହୋଇ ଉଠେ ।