ନବରଙ୍ଗପୁର(ଏଟିଆର ବ୍ୟୁରୋ): ରାଜ୍ୟରେ ସମସ୍ତ ସ୍କୁଲରେ ମାଡ ନମାରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ ବିଖାତିର କରି ବିଭିନ୍ନ ସ୍କୁଲରେ ପାଠ ପଢାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ମାଡ ମାରିବାର ଅଭିଯୋଗ ଆଗରୁ ହୋଇ ଆସୁଛି । ତେବେ ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ । ଏଠାରେ ଶିକ୍ଷୟତ୍ରୀ ସୁପ୍ରଭା ସାହୁ ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ବେତରେ ମାଡ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଭୋଜନ ପରେ ଛାତ୍ର ମାନେ ଶିକ୍ଷୟତ୍ରୀ ଆଣିଥିବା ପାଣି ବୋତଲରୁ ପାଣି ପିଇ ଦେଇଥିଲେ । ଏଥିରେ ରାଗିଯାଇ ଶିକ୍ଷୟତ୍ରୀ ଜଣକ ୧୪ ଜଣ ଛାତ୍ରଙ୍କୁ ବେତ ଭାଙ୍ଗିଲା ପର୍ଯ୍ୟନ୍ତ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀଙ୍କ ମାଡ ସହି ନପାରି ଛାତ୍ରମାନେ ବିଦ୍ୟାଳୟ ପରିଚାଳନ କମିଟିର ସଭାପତି ଯୁଧେଷ୍ଟି ଗୌଡଙ୍କ ପାଖକୁ ଦୌଡି ପଳାଇଥିଲେ । ଏହା ପରେ ସଭାପତି ପ୍ରଧାନ ଶିକ୍ଷକ, ଅଭିଭାବକ ଓ କମିଟି ସଭ୍ୟ ମାନଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ ।
ମାଡ ମାରିବା ଘଟଣା ଶିକ୍ଷୟତ୍ରୀ ସ୍ୱୀକାର କରିବା ସହ ପାଣି ବୋତଲରୁ ପାଣି ପିଇଲେ ବୋଲି ମାଡ ମାରି ନାହାନ୍ତି । ଛାତ୍ର ମାନଙ୍କୁ ପାଠ ପଢିବାକୁ କହିଲେ ହେଲେ ସେମାନେ ଶୁଣିଲେ ନାହିଁ ବୋଲି ମାଡ ମରିଛନ୍ତି ବୋଲି କହିଛନ୍ତି ଶିକ୍ଷୟତ୍ରୀ । ଏହାକୁ ନେଇ ଅଭିଭାବକ ମାନେ ଶିକ୍ଷୟତ୍ରୀ ବିରୋଧରେ ଦୃଢ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ କତ୍ତୃପକ୍ଷ ।