ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ୩ଦିନ ତଳର କଥା । ଅଚାନକ ଖାରବେଳନଗର ଥାନା ସାମ୍ନାରେ ଗାଡି ରଖି ରୋବାବ ଦେଖାଇଲେ ଜଣେ ଯୁବକ । ବେଆଇନ ଗାଡି ପାର୍କିଂ କରିଥିବାରୁ ଉପସ୍ଥିତ ଥାନା କର୍ମଚାରୀ ତାଙ୍କୁ ଗାଡି ହଟାଇବାକୁ କହିଥିଲେ । ହେଲେ ଯୁବକ ଜଣକ ପୁଲିସ କର୍ମଚାରୀଙ୍କୁ ଓଲଟି ନାଲି ଆଖି ଦେଖାଇଥିଲେ । ଥାନା ଇନଚାର୍ଜ ଯେଉଁ ଲଣ୍ଡା ବାବୁ ଅଛନ୍ତି ସେ ମୋ ଭାଇ କହି ଓଲଟି ହାକିମାତି କଲେ ।
ଯଦିଓ କିଛି ସମୟ ଲାଗି ଯୁବକଙ୍କ କଥା ଶୁଣି ପୁଲିସ କର୍ମଚାରୀ ଚୂପ ହୋଇଯାଇଥିଲେ କିନ୍ତୁ ବେଳ ଖରାପ । ଠିକ ସେହି ସମୟରେ ଖୋଦ ଥାନା ଅଧିକାରୀ ସେଠାରେ ପହଁଚିଯାଇଥିଲେ । କାହାକୁ ଖୋଜୁଛ କହିବାରୁ ଯୁବକ ଜଣକ ତାଙ୍କୁ ବି ଗରମ ଦେଖାଇଥିଲେ । ସମାନ କଥାକୁ ଦୋହରାଇ ଥିଲେ । ଲଣ୍ଡା ତାଙ୍କ ଭାଇ ବୋଲି କହି ଥାନା ଅଧିକାରୀଙ୍କୁ ଭକୁଆ ବନାଇଥିଲେ । ଯେତେ ଯାହା ବୁଲେଇ ବାଲେଇ ଯୁବକଙ୍କୁ ପଚାରିଲେ ବି ଥାନା ଅଧିକାରୀଙ୍କୁ ଡାହା ମିଛ କହି ଭଣ୍ଡାଇବାକୁ ପଛାଇନଥିଲେ ଯୁବକ ଜଣକ ।
ମନେ ମନେ ଦ୍ୱନ୍ଦରେ ପଡିଥିବା ଖୋଦ ଥାନା ଅଧିକାରୀ ଶେଷରେ ବିରକ୍ତ ହୋଇ କହିଥିଲେ ଯେ, ବେ ତୁ ଯୋଉ ଲଣ୍ଡାକୁ ଖୋଜୁଛୁ ମୁଁ ସେହି ଲଣ୍ଡା । ତୋ ଭାଇ କେମିତି ହେଲି ବେ । ଏତିକି ଶୁଣିବା ପରେ ଆଖି ପିଛୁଳାକେ କେଉଁଆଡେ ଉଭାନ ହୋଇଯାଇଥିଲେ ଯୁବକ ଜଣକ । ଏହି ଘଟଣା ବେଶ କିଛି ସମୟ ମଜାଦାର ପରିସ୍ଥିତି ସୃଷ୍ଟି କରିଥିଲା ।