ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ଅଁଳା ନବମୀ । ଏହି ଅବସରରେ ଆଜି ପୁର ପଲ୍ଲୀରେ ଉତ୍ସାହ ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ । କିମ୍ବଦନ୍ତୀ ଅନୁସାରେ ଆଜି ଅଁଳା ଗଛକୁ ପୂଜା ଅର୍ଚ୍ଚନା କରିବାର ପରାମ୍ପରା ରହିଛି । ଏହି ପୂଜା କଲେ ଅକ୍ଷୟ ଫଳ ପ୍ରାପ୍ତି ହେବାର କଥା ରହିଛି । ପୁରାଣ ଅନୁସାରେ ଆଜି ଯେଉଁ ପୂଣ୍ୟ ଅର୍ଜନ ହୋଇଥାଏ ତାହା କେବେ ହେଲେ ମଧ୍ୟ କ୍ଷୟ ହୁଏ ନାହିଁ । ସେଥିପାଇଁ ଅଁଳା ନବମୀରେ ଅକ୍ଷୟ ଫଳ ପ୍ରାପ୍ତି ହୁଏ ବୋଲି ଲୋକ କଥା ରହିଛି ।
ପୁରାଣ କଥାରେ ଥରେ ମା ଲକ୍ଷ୍ମୀ ପୃଥୀବି ଭ୍ରମଣ କରିବାକୁ ଆସିଥିଲେ । ଏହି ଅବସରରେ ମଧ୍ୟ ରାସ୍ତାରେ ତାଙ୍କର ବିଷ୍ଣୁ ଓ ଶିବଙ୍କୁ ପୂଜା କରିବାର ଇଚ୍ଛା ଜାଗ୍ରତ ହେଲା । ତେଣୁ ସିଏ ଏକାଠି ଦୁହିଁକୁ ପୂଜା କରିବା ପାଇଁ ଅଁଳା ଗଛକୁ ପୂଜା କରିଥିଲେ । କାରଣ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଗୁଣ ରହିଥାଏ । ଏହି ଗଛରେ ଦୁଇଟି ଗୁଣ ରହିଥିବାରୁ ଏହାକୁ ଭଗବାନ ଶିବ ଓ ବିଷ୍ଣୁଙ୍କ ପ୍ରତୀକ ବୋଲି କୁହାଯାଏ ।
ସେହିଦିନ ଠାରୁ ଆଜିର ଦିନରେ ମହିଳାମାନେ ଅଁଳା ଗଛକୁ ପୂଜା କରାଯିବାର ପରମ୍ପରା ରହି ଆସିଛି । ଏହିଦିନ ମହିଳାମାନେ ଅଁଳା ଗଛ ମୂଳକୁ ସଫା ସୁତୁରା କରି ଜଳ ଓ କ୍ଷୀର ଅର୍ପଣ କରିଥାନ୍ତି । ଆଜି ଦିନରେ ପରିବାରର ଶୁଖ ସମୃଦ୍ଧି ପାଇଁ ପରିବାରର ସମସ୍ତେ ଏକାଠି ହୋଇ ଗଛ ମୂଳେ ପ୍ରସାଦ ଖାଇଥାନ୍ତି । ସେହିଭଳି ଆଜିର ଦିନରେ ମଧ୍ୟ ରାଧାପାଦ ଦର୍ଶନ କରିବାର ପରମ୍ପରା ରହିଛି ।