ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆନ୍ତର୍ଜାତୀୟ କୁଖ୍ୟାତ ଆତଙ୍କବାଦୀ ବାଗଦାଦିର ଭଉଣୀ ଏବେ ଧରା ପଡିଛି । ସିରିଆରେ ଏକ କଣ୍ଟେନରରେ ଲୁଚି ରହିଥିବା ବେଳେ ସେ ଧରା ପଡିଛି । ତୁର୍କୀର ସେନା ସିରିଆରୁ ତାକୁ ଗିରଫ କରିଥିବା କହିଛି । ମାତ୍ର ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖବର ମୁତାବକ ବାଗଦାଦିର ଭଉଣୀ ସହିତ ଭିଣୋଇ ଓ ବୋହୂକୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଗତ ଅକ୍ଟୋବର ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ କି ଆମେରିକା ସେନାର ବଡ଼ ଅଭିଯାନରେ ଦୁର୍ଦ୍ଦଷ ଆତଙ୍କବାଦୀ ତଥା ଆଇଏସ ସଂଗଠନର ମୁଖ୍ୟ ବାଗଦାଦୀର ମୃତ୍ୟୁ ଘଟିଛି। ବାଗଦାଦି ନିଜେ ନିଜକୁ ଆତ୍ମଘାତୀ ବିଷ୍ପୋରଣ କରି ଉଡାଇ ଦେଇଛି । ପରେ ଆଇଏସ୍ ପକ୍ଷରୁ ଜାରି ୭ ମିନିଟ୍ର ଅଡିଓ ଟେପ୍ରେ ବାଗଦାଦିର ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଅବୁ ଇବ୍ରାହିମ ଅଲ ହାଶମି ଅଲ କୁରେଶକୁ ଆଇଏସ୍ ସଂଗଠନର ମୁଖ୍ୟ ନିଯୁକ୍ତ ହେଲେ ବୋଲି ଘୋଷଣା କରିଛି ।
ସଂଗଠନର ମୁଖପାତ୍ର ଅବୁ ହମଜା ଅଲ କୁରେଶୀ ଏକ ଅଡିଓ ଟେପ୍ ଜାରି କରି ଏହି ଘୋଷଣା କରିଥିଲା । ଅବୁ ବକର ଅଲ ବାଗଦାଦି ଥିଲା ଆତଙ୍କବାଦୀ ସଂଗଠନ ଆଇଏସର ମୁଖ୍ୟ । ଗତ ଅପ୍ରେଲ ମାସରେ ଆଇଏସଆଇ ପକ୍ଷରୁ ବାଗଦାଦିର ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ବାଗଦାଦି ଶ୍ରୀଲଙ୍କାରେ ହୋଇଥିବା ଆତଙ୍କୀ ହମଲାକୁ ସ୍ୱୀକାର କରିଥିଲା ।