ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ବୁଲ୍ବୁଲ’ ପ୍ରଭାବରେ କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୯ତାରିଖରେ ଘଣ୍ଟାକୁ ୭୦ରୁ ୮୦ କିମି ବେଗରେ ବୋହିବ ପବନ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଉପକୂଳବର୍ତ୍ତୀ ଓଡିଶା ଯେପରି ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ଛୁଟି ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୨ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ବାତ୍ୟା ଏବେ ଉତ୍ତର ଦିଗ ଆଡକୁ ଗତି କରୁଛି । ନଭେମ୍ବର ୯ରେ ଉତ୍ତର – ପୂର୍ବକୁ ‘ବୁଲ୍ବୁଲ’ ଗତି କରିବାକୁ ଥିବା ବେଳେ ଏହା ପ୍ରଭାବରେ ଘଣ୍ଟାକୁ ୫୫ରୁ ୬୫ କିଲୋମିଟର ବେଗରେ ପବନ ବୋହିବ ଯାହା ଅପରାହ୍ନ ବେଳକୁ ୭୦ରୁ ୮୦ କିଲୋମିଟର ବେଗ ରହିବ । ପାଣିପାଗ ବିଭାଗର ସୂଚନା ମୁତାବକ ନଭେମ୍ବର ୮ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ । ଓଡିଶା ପ୍ରତି ଏତେ ବିପଦ ନଥିଲେ ମଧ୍ୟ ଏହାର ପ୍ରଭାବରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବ । ବାତ୍ୟା ‘ବୁଲ୍ବୁଲ’ ବଙ୍ଗୋପସାଗର ଉପରେ ଦେଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ । ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।