ଭୁବନେଶ୍ୱର: ବ୍ରହ୍ମପୁରରେ କଂଗ୍ରେସ ଏକଦମ୍ ସଫା ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଆଜି ଦଳ ଛାଡ଼ିଛନ୍ତି । ଫଳରେ କଂଗ୍ରେସ ବ୍ରହ୍ମପୁରରେ ଏକପ୍ରକାରର ମାଟି କାମୁଡ଼ିଛି ।
୨୦୧୯ ପୂର୍ବରୁ ବ୍ରହ୍ମପୁରରେ ଦଳ ଏକପ୍ରକାରର ପରାଜୟକୁ ସ୍ୱୀକାର କରି ନେଇଛି । ବ୍ରହ୍ମପୁରରେ କଂଗ୍ରେସ କହିଲେ ଚନ୍ଦ୍ରଶେଖରଙ୍କୁ ବୁଝାଉଥିଲା । କିନ୍ତୁ ସେ ଆଜି ଦଳକୁ ବାଏବାଏ କହିଛନ୍ତି । ଯେଉଁ ଦଳ ତାଙ୍କୁ ଦିନେ କେନ୍ଦ୍ରରେ ମନ୍ତ୍ରୀ ପଦ ଦେଇଥିଲା । ଆଜି ସେହି ଦଳରୁ ଇସ୍ତଫା ଦେଇଛନ୍ତି ଚନ୍ଦ୍ରଶେଖର । ଖାଲି ସେତିକି ନୁହେଁ, ଇସ୍ତଫା ପରେ ସେ ଦଳୀୟ ନେତୃବୃନ୍ଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଦଳୀୟ ନେତାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଓ ବିଶୃଙ୍ଖଳା ଆଚରଣ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ସେ ଆସନ୍ତା ୪ ତାରିଖରେ ନିଜ ସମର୍ଥନକଙ୍କ ସହ ବିଜେଡିରେ ମିଶିବେ ।
ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ବ୍ରହ୍ମପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ବ୍ରହ୍ମପୁରରେ ଏକ ମିଶ୍ରଣ ପର୍ବ ଆୟୋଜନ ହେବ । ଏହି ମିଶ୍ରଣ ପର୍ବରେ ଚନ୍ଦ୍ର ଶେଖର ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିବେ ବୋଲି କୁହାଯାଉଛି । ଆଜି ଚନ୍ଦ୍ରଶେଖରଙ୍କ ବ୍ୟତୀତ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ବିଜେଡିରେ ମିଶିବେ ବୋଲି ଜଣାପଡ଼ିଛି ।
ଏହି ଦୁଇ କଂଗ୍ରେସ ହେଭିୱେଟଙ୍କ ବ୍ୟତୀତ ବ୍ରହ୍ମପୁର ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତା ପାଣିଗ୍ରାହୀ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତାଫପତ୍ରଗୁଡ଼ିକୁ ସେମାନେ ଦଳର ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା କହିଛନ୍ତି ।
ଏହି ନେତାମାନଙ୍କ ବ୍ୟତୀତ ବ୍ରହ୍ମପୁର ମହାନଗର ନିଗମର ୫ ଜଣ କର୍ପୋରେଟର୍, ଛାତ୍ର କଂଗ୍ରେସର ରାଜ୍ୟ ଆବାହକ ତାପସ ସାହୁ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ବି ପୁଷ୍ପାବତୀ, ଛତ୍ରପୁର ବ୍ଲକ୍ କଂଗ୍ରେସ ସଭାପତି ପ୍ରକାଶ ବିଶୋଈ, ପିସିସି ସଦସ୍ୟ ମଳୟ ବିଶୋୟୀ ଓ ଶୂନ୍ୟ ଦାସ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ଏଭଳି ସାମୂହିକ ଇସ୍ତଫା ବ୍ରହ୍ମପୁରରେ ଦଳୀୟ ସଂଗଠନପୁରା ଦୋହଲାଇ ଦେଇଥିବା କୁହାଯାଉଛି । ରାଜ୍ୟରେ କଂଗ୍ରେସ ନିଜର ଅସ୍ଥିତ୍ୱ ହରାଉଥିବାରୁ ଓ କଂଗ୍ରେସରେ ଜାରି ରହିଥିବା କ୍ଷମତା ଯୁଦ୍ଧ ଯୋଗୁ ସେମାନେ ଇସ୍ତଫା ଦେଇଥିବା ଖୋଲାଖୋଲି ଭାବେ କହିଛନ୍ତି । ଆଜି ଇସ୍ତଫା ଦେଇଥିବା ସମସ୍ତ କଂଗ୍ରେସ ନେତାମାନେ ନିଜର ସମର୍ଥକମାନଙ୍କ ସହ ବିଜେଡିରେ ଯୋଗଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି ।