ଭୁବନେଶ୍ୱର(ଏଟିଆର ବ୍ୟୁରୋ): କ୍ରାନ୍ତିକାରୀ କୃଷକ ସଭା ଏବଂ ଆଦିବାସୀ ଭାରତ ମହାସଭା ପକ୍ଷରୁ ଚାଷୀ ଓ ଆଦିବାସୀଙ୍କ ୨୧ ଦଫା ମୌଳିକ ସମସ୍ୟାକୁ ନେଇ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ଠାରେ ପହଁଞ୍ଚିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ପ୍ରତି ହତାଦର ଓ ଆଦିବାସୀଙ୍କୁ ଜଙ୍ଗଲରୁ ବାହାର କରିବା ପାଇଁ ଷଡଯନ୍ତ୍ର କରି କର୍ପୋରେଟ ହାତରେ ଜମି, ଜଳ, ଜଙ୍ଗଳ ଓ ଚାଷ ଟେକି ଦେଉଛନ୍ତି ବୋଲି ଏଆଇକେକେଏସ ପକ୍ଷରୁ ଦାବି କରାଯାଇଛି ।
ଏଥି ପାଇଁ ଚାଷୀ ମାନେ ଆତ୍ମହତ୍ୟା ଓ ଦାଦନ ଖଟିବାର ରାସ୍ତା ବାଛି ନେଉଛନ୍ତି ବୋଲି ଏହି ସଭା ପକ୍ଷରୁ ଦାବି କରାଯାଉଛି । ଦେଶରେ ପ୍ରତି ବର୍ଷ ୪ଲକ୍ଷ କୃଷକ ଆତ୍ମହତ୍ୟା କରୁଥିବା ବେଳେ ଦିନକୁ ପ୍ରାୟ ୩୧ଜଣ ଚାଷୀ ଆତ୍ମହତ୍ୟା କରୁଥିଛନ୍ତି ବୋଲି ଏଆଇକେକେଏସ ପକ୍ଷରୁ କୁହାଯାଇଛି । କୃଷି ପ୍ରଧାନ ଦେଶ କୁହାଯାଉଥିବା ଦେଶରେ ବର୍ତ୍ତମାନ ୪୩ ପ୍ରତିଶତ କୃଷକ ଚାଷ କାମ ଛାଡିବାକୁ ବସିଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଳଟିଛି ବୋଲି ରାଜ୍ୟ ସଂପାଦକ କହିଛନ୍ତି ।
ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ପ୍ରଦୀପ ସିଂ ଠାକୁର କହିଛନ୍ତି ଯେ, ମୋଦି ସରକାର ସାରା ଦେଶର କୃଷକ ସଂଗଠନ ଓ ବିଭିନ୍ନ ସଂଗଠନ ମାନଙ୍କ ଦୃଢ ବିରୋଧ ଯୋଗୁଁ ଆର.ସି.ଇ.ପି ବୁଝାମଣାରେ ସ୍ୱାକ୍ଷର କରିବାକୁ ଦୂରେଇ ରହିଛନ୍ତି । ଭାଗଚାଷୀଙ୍କ ପାଇଁ ଆଇନ ଆଣୁ ନଥିବାବାରୁ ଚାଷୀମାନେ ବହୁ କ୍ଷତିର ସମ୍ମୁଖିନ ହେଉଛନ୍ତି । ବିଜେଡି ସରକାର ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଭୂସଂସ୍କାର ନୀତିକୁ କାର୍ଯ୍ୟକାରୀ ନକରିବା ହିଁ ସରକାରଙ୍କ ଅସଲ କର୍ପୋରେଟ ପ୍ରୀତି ନମୁନା ବୋଲି ସେ କହିଛନ୍ତି ।
ଆହୁରି ମଧ୍ୟ ସାଧାରଣ ସମ୍ପାଦକ କହିଛନ୍ତି ଯେ ଭାରତ ଜଙ୍ଗଲ ଆଇନ ୧୯୨୭ରେ ପ୍ରସ୍ତାବିତ କେନ୍ଦ୍ର ସରକାରଙ୍କ ସଂଶୋଧନ ଆଦିବାସୀ ବିରୋଧି ନୀତି ଅଟେ । ଗଣଧାରଣା ପକ୍ଷରୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସହ ସାକ୍ଷାତ କରି ଏହି ବିଷୟରେ ଆଲୋଚନା କରି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।