ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କନ୍ଧମାଳର ଜୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରପଚାରକୁ ଲିମ୍କା ବୁକ୍ ଅଫ୍ ରେକର୍ଡ ରେ ସ୍ଥାନ ଦିଆଯାଇଛି । ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଏହି ଅସ୍ତ୍ରପଚାର ହୋଇଥିଲା । ଏହି ସଫଳ ଅସ୍ତ୍ରପଚାରକୁ ଲିମ୍କା ବୁକ୍ ର ୨୦୨୦ ସଂସ୍କରଣରେ ସ୍ଥାନ ଦିଆଯାଇଛି ।
ରିପୋର୍ଟ ମୁତାବକ, ଦେଶରେ ଏଭଳି ପ୍ରଥମ ସଫଳ ଅସ୍ତ୍ରପଚାର ପାଇଁ ଏହା ଲିମ୍କା ବୁକ୍ ରେ ସ୍ଥାନ ପାଇଛି । ଏହି ଅସ୍ତ୍ରପଚାରରେ ୧୨୫ ଜଣ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ସାମିଲ ଥିଲେ । ପ୍ରୋଫେସର ଅଶୋକ କୁମାର ମହାପାତ୍ର ଏବଂ ଡାଃ ଦୀପକ କୁମାର ଗୁପ୍ତାଙ୍କ ନେତୃତ୍ୱରେ ଏହି ଅସ୍ତ୍ରପଚାର କରାଯାଇଥିଲା ।
୨୦୧୭ରେ ସର୍ଜରୀ ସମୟରେ ଜଗା ଏବଂ କାଳିଆଙ୍କ ବୟସ ୨୮ ମାସ ରହିଥିଲା । ଏହି ଜଟିଳ ସର୍ଜରୀକୁ ଦୁଇ ଦୁଇ ଥର କରାଯାଇଥିଲା । ପ୍ରଥମ ସର୍ଜରୀ ୨୮ ଅଗଷ୍ଟ ୨୦୧୭ ଏବଂ ଦ୍ୱିତୀୟରେ ୨୫ ଅକ୍ଟୋବର ୨୦୧୭ ରେ କରାଯାଇଥିଲା ।
ଏନେଇ ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି କି, ଏହି ଅସ୍ତ୍ରପଚାର ବହୁତ ବଡ ଚ୍ୟାଲେଞ୍ଜ ଥିଲା । ମୁଣ୍ଡ ଯୋଡି ହୋଇଥିବା ଶିଶୁଙ୍କର ଏହା ଭାରତର ପ୍ରଥମ ସର୍ଜରୀ ଥିଲା । ଏଥିରେ ଏମ୍ସର ଭେନ୍ ବ୍ୟାଙ୍କରୁ ଶୀରା ନିଆଯାଇ କାଳିଆର ମୁଣ୍ଡରେ ଲଗାଯାଇଥିଲା, କାରଣ ଦୁଇ ଶିଶୁଙ୍କ ମୁଣ୍ଡରେ ଗୋଟେ ମାତ୍ର ଶୀରା ରହିଥିଲା ।