ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ଟ୍ରେନ୍ ରେ ଶସ୍ତାରେ ମିଳିବନି ଚା’ କିମ୍ବା ଖାଦ୍ୟ । ଏବେ ଯାତ୍ରୀଙ୍କୁ ଟ୍ରେନ୍ ରେ ଅଧିକ ଟଙ୍କା ଦେଇ ଚା’ ଏବଂ ଖାଦ୍ୟ ଖାଇବାକୁ ପଡିବ । ଆଜ୍ଞା ହଁ ଏବେ ଟ୍ରେନ୍ ଚା’ ଏବଂ ଖାଦ୍ୟ ମହଙ୍ଗା ହେବାକୁ ଯାଉଛି । ଏନେଇ ରେଲୱେ ବୋର୍ଡର ପର୍ଯ୍ୟଟନ ଏବଂ ଖାଦ୍ୟ ବିଭାଗର ନିର୍ଦ୍ଦେଶକ ପକ୍ଷରୁ ସର୍କୁଲାର ବି ଜାରି କରାଯାଇଛି ।
ସର୍କୁଲାର ମୁତାବକ, ରାଜଧାନୀ ଶତାବ୍ଧୀ ଏବଂ ଦୁରନ୍ତ ଟ୍ରେନରେ ଚା’, ଜଳଖିଆ ଏବଂ ଭୋଜନ ଦରରେ ବୃଦ୍ଧି ହେବାକୁ ଯାଉଛି । ଏହି ଟ୍ରେନ୍ ରେ ଟିକେଟ କାଟିବା ସମୟରେ ହିଁ ଚା, ଜଳଖିଆ ଏବଂ ଭୋଜନର ଟଙ୍କା ନିଆଯାଇଥାଏ । ଏହାସହିତ ଅନ୍ୟ ଟ୍ରେନ୍ ଗୁଡିକରେ ବି ଏହି ନିୟମ ଲାଗୁକରାଯିବ ।
ରିପୋର୍ଟ ମୁତାବକ, ଟ୍ରେନରେ ନୂତନ ମେନ୍ୟୁ ଏବଂ ଶୁଳ୍କ ୧୫ ଦିନ ମଧ୍ୟରେ ଅପଡେଟ୍ ହୋଇଯିବ ଏବଂ ଚାରି ମାସ ମଧ୍ୟରେ ଏହାକୁ ଲାଗୁ କରାଯିବ । ରାଜଧାନୀ, ଦୁରନ୍ତ ଏବଂ ଶତାବ୍ଧୀ ଟ୍ରେନର ଫାଷ୍ଟ ଏସି ଯାତ୍ରୀ ପୂର୍ବରୁ ସକାଳର ଚା’ ପାଇଁ ୧୫ ଟଙ୍କା ଦେଉଥିଲେ ମାତ୍ର ଏବେ ଏହାର ଦର ପରିବର୍ତ୍ତନ ହୋଇ ୩୫ ଟଙ୍କା ହୋଇଛି । ସେହିପରି ପୂର୍ବରୁ ଜଳଖିଆ ୯୦ ଟଙ୍କା ଥିଲା ଏବେ ୧୪୦ ଟଙ୍କା ହୋଇଛି । ଏବଂ ମଧ୍ୟାହ୍ନ ଏବଂ ରାତ୍ର ଭୋଜନ ପାଇଁ ୧୪୫ ବଦଳରେ ୨୪୫ କରାଯାଇଛି । ଏହିଭଳି ଭାବେ ଟ୍ରେନର ବିଭିନ୍ନ କୋଚ୍ ପାଇଁ ଚା ଏବଂ ଭୋଜନର ଭିନ୍ନ ଭିନ୍ନ ଦର ରଖାଯାଇଛି ।