ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ ସରିଥିବା ବେଳେ ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ନୂତନ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ବୋବଡେଙ୍କୁ ଶପଥ ପାଠ କରାଇବେ । ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ ସେ ଗୋପନୀୟତାର ଶପଥ ପାଠ କରିବେ । ବୋବଡେଙ୍କ କାର୍ଯ୍ୟକାଳ ୧୭ ମାସ ରହିବ ବୋଲି ସୂଚନା ମିଳିଛି ।
ମହାରାଷ୍ଟ୍ରର ନାଗପୁରରେ ୧୯୫୬ ମସିହା ଏପ୍ରିଲ ୨୪ ତାରିଖରେ ବୋବଡେ ଜନ୍ମ ଗ୍ରହଣ କରିଥିଲେ । ସେ ନାଗପୁର ବିଶ୍ୱ ବିଦ୍ୟାଳୟରୁ ଏଲଏଲ ବି ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମେ ସେ ବମ୍ବେ ହାଇକୋର୍ଟ ନାଗପୁର ବେଞ୍ଚରେ ଓକିଲ ଭାବେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାରେ ସେ ବମ୍ବେ ଉଚ୍ଚ ନ୍ୟାୟଳୟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ପରେ ୨୦୧୨ ମସିହାରେ ମଧ୍ୟ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୩ ମସିହାରେ ସେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ । ସେ ସୁପ୍ରିମକୋର୍ଟ ବିଚାରପତି ଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିଛନ୍ତି ।