ଅତାବିରା(ଏଟିଆର ବ୍ୟୁରୋ): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ନେଇ ଉଠୁଛି ପଡୁଛି ପଶ୍ଚିମ ଓଡିଶା । ଦୁଇ ଦିନ ଧରି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ପରେ ଆଜି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଫଳରେ ଗତ ୩ଦିନ ହେବ ସରକାରୀ କାର୍ଯ୍ୟାଳୟ ସହ ଦୋକାନ ବଜାର ଅତାବିରାରେ ବନ୍ଦ ହୋଇ ରହିଛି । ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଚାଷୀ ଓ ଚାଷୀ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ଟୋକନ ବ୍ୟବସ୍ଥାକୁ ନେଇ ଗତକାଲି ଚାଷୀ ନେତା ମାନଙ୍କ ସହ ବରଗଡ ଜିଲ୍ଲାପାଲ ଅଲୋଚନା କରିଥିଲେ । ହେଲେ ଏହି ବ୍ୟବସ୍ଥାର କିଛି ସମାଧାନ ବାହାରି ପାରି ନଥିଲା ।
ଯାହା ଫଳରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଚାଷୀ ମାନଙ୍କ ଦାବି ରହିଛି ଯେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ପୂର୍ବ ବର୍ଷ ଭଳି ପି. ପାସ ମାଧ୍ୟମରେ ଧାନ ସଂଗ୍ରହ କରାଯାଉ । ଏହି ବ୍ୟବସ୍ଥା ଉଚ୍ଛେଦ ନହେଲେ ସରକାରଙ୍କୁ ଅସହଯୋଗ କରିବା ସହ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଯେଉଁ ଧାନ ମାର୍କେଟୟାର୍ଡକୁ ପହଞ୍ଚିଯାଇଛି ସେଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପ୍ରଶାସନ ପକ୍ଷରୁ କିଣା ଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ଟେକୋନ ବ୍ୟବସ୍ଥାକୁ ଉଚ୍ଛେଦ ନହେଲେ ଧାନ ବିକ୍ରି କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଛନ୍ତି ଚାଷୀ ଓ ଚାଷୀ ସଂଗଠନର ନେତା ମାନେ ।