ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଯେଉଁ ପରିମାଣରେ ଲୋକ ସଂଖ୍ୟା ବୃଦ୍ଧି ପାଉଛି ତାହାକୁ ଦେଖି ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ମଲ, ଦୋକାନ, ହୋଟେଲ ଆଦି ଖୋଲିବାରେ ଲାଗିଲେଣି । ହେଲେ ବିଭିନ୍ନ ସମୟରେ ଏହି ଦୋକାନ, ମଲ ଆଦି ଯୋଗୁଁ ସାଧାରଣରେ ଲୋକକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସେପଟେ ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ କମିଶନରେଟ ପୋଲିସ ପ୍ରତ୍ୟେକ ଦିନ ନାକେଦମ ହୋଇଥାଏ । ଏଥିପାଇଁ କମିଶନରେଟ ପୋଲିସ ଅନେକ ମଲ, ଦୋକାନ ଗୁଡିକୁ ନୋଟିସ ଜାରୀ କରିଥାଏ ହେଲେ ଏହି ନୋଟିସକୁ କିଛି ଲୋକ ଖାତିର କରୁଥିବା ବେଳେ ଆଉ କିଛି ଲୋକ ଖାତିର କରୁନଥିବା ଦେଖିବାକୁ ମିଳିଥାଏ । ଏହି ସବୁ ମନମ୍ମୁଖୀ କାର୍ଯ୍ୟକୁ ଦେଖି ଏବେ ଆକ୍ସନ ମୁଡରେ କମିଶନରେଟ ପୋଲିସ ।
କଳ୍ପନା ଛକ ଠାରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲକୁ ସିଲ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସଙ୍କ କହିବା କଥା ଉତ୍କଳ କନିକା ଗ୍ୟାଲେରିଆ ମଲ ପାଖରେ ସୁବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ନଥିବା ସହ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ମଧ୍ୟ ନାହିଁ , ଯାହାଫଳରେ ଏହି ମଲଟିକୁ ସିଲ କରିଦିଆଯାଇଛି । କମିଶନରେଟ ପୋଲିସର ଟ୍ରାଫିକ ବିଭାଗ ପକ୍ଷରୁ ବରଗଡ ଥାନାରେ ଅକ୍ଟୋବର ମାସରେ ଏକ ଅଭିଯୋଗ କରାଯାଇଥିଲା । ହେଲେ ଏହାକୁ ଯେପରି ମଲ କତ୍ତୃପକ୍ଷ ଖାତିରି କରିନଥିଲେ । ଯାହାଫଳରେ ଏବେ ଏହି ମଲଟିକୁ ସିଲ କରିଦିଆଯାଇଛି । ମଲଟି କଳ୍ପନା ଛକ ଉପରେ ହୋଇଥିବାରୁ ପ୍ରତ୍ୟେକ ଦିନ ଗାଡିମଟର ଯାତାୟତ କରିବାରେ ଏତେ ଅସୁବିଧା ହେଉଥିଲା ଯେ ଗୋଟିଏ ଜରୁରୀକାଳୀନ ଗାଡି ଅର୍ଥାତ ଆମ୍ବୁଲାନ୍ସଟିକୁ ଯିବାକୁ ମଧ୍ୟ ପାଇଁ ବାଟ ମିଳୁନଥିଲା । ଏହା ସହ ଆମେ ଅନେକ ସମୟରେ ଦେଖିଥାଉ କି ବିଭିନ୍ନ ମଲ, ଦୋକାନ, ହୋଟେଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବା କାରଣରୁ ଅଗ୍ନିକାଣ୍ଡ ଘଟିଥାଏ । ଉତ୍କଳ କନିକା ଗ୍ୟାଲେରିଆ ମଲରେ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନଥିବାରୁ ଏହା ସିଲ ହେବାର ଅନ୍ୟ ଏକ କାରଣ ବୋଲି ଚର୍ଚ୍ଚା ହେଉଛି ।