ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଭିନୟରୁ ରାଜନୀତିରେ ପାଦ ଥାପିଥିବା ଦୁଇ ମହାରଥୀ ରଜନୀକାନ୍ତ ଏବଂ କମଲ ହାସନ ଫିଲ୍ମ ଦୁନିଆରେ ଅନେକ ଚରିତ୍ରରେ ନଜର ଆସି ସାରିଛନ୍ତି । ଏହି ଦୁଇ ରାଜନେତା ଏବେ ତାମିଲନାଡୁ ରାଜନୀତି ପାଇଁ ଏକାଠି ଆସିପାରନ୍ତି ବୋଲି ସଂକେତ ଦେଇଛନ୍ତି ।
ତାମିଲନାଡୁ ରେ ଜୟଲଳିତାଙ୍କ ନିଧନ ପରେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଟଣା ଓଟଣା ଲାଗିଛି । ଏନେଇ ରଜନୀକାନ୍ତ କହିଛନ୍ତି ତାମିଲନାଡୁର ଲୋକଙ୍କ ହିତ ପାଇଁ ଯଦି ଆବଶ୍ୟକ ପଡେ ତେବେ ସେ ତାଙ୍କ ପ୍ରତିଦ୍ୱନ୍ଦୀ କମଲ ହାସନଙ୍କ ସହ ହାତ ମିଶାଇ ପାରନ୍ତି । ଏହାସହିତ ୨୦୨୧ରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପାର୍ଟି ଗଢିବାକୁ ଘୋଷଣା କରିଛନ୍ତି ରଜନୀକାନ୍ତ ।
ରଜନୀକାନ୍ତଙ୍କ ଏହି ବୟାନ ପରେ କମଲ ହାସନଙ୍କ ପକ୍ଷରୁ ବି ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି ମୋ ବନ୍ଧୁ ରଜନୀକାନ୍ତ ଆଉ ମୋର ଏକା ବିଚାର । ଯଦି ଆବଶ୍ୟକ ପଡେ ତେବେ ତାମିଲନାଡୁର ହିତ ପାଇଁ ସମସ୍ତ ରାଜନୀତି ଏକାଠି ହେବା ଉଚିତ୍ । ସେ ଆହୁରୀ ମଧ୍ୟ କହିଛନ୍ତି ଆମେ ଏଠାକୁ କେବଳ ରାଜନୀତି କରିବା ପାଇଁ ନୁହେଁ ବରଂ ଭଲ ତାମିଲନାଡୁ ଗଢିବା ପାଇଁ ଆସିଛୁ ।