ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ବିଜେପି ସରକାର ଗଢିବା ପରେ କଂଗ୍ରେସ, ଏନସିପି ଓ ଶିବସେନା ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ କରିଛନ୍ତି । ବିଜେପି ପାଖରେ ସରକାର ଗଢିବା ପାଇଁ ଆବଶ୍ୟକ ବିଧାୟକ ନାହାନ୍ତି । ଏଥିପାଇଁ ଫ୍ଲୋରକୁ ଆସି ପ୍ରକୃତ ପରୀକ୍ଷା କରାଯାଉ ବୋଲି ନିବେଦନ କରିଥିଲେ । ଏହି ମାମଲାରେ ଆଜି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଶୁଣାଣୀ କରିବାର ଥିଲା । ତେବେ ଏହି ମାମଲାର ଶୁଣାଣି କୋର୍ଟ ଆସନ୍ତାକାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ପଟିସନର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି ।
ଆସନ୍ତାକାଲି ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତାକାଲି ଏହି ସମର୍ଥନ ପତ୍ର ଦାଖଲ କରିବା ପରେ କୋର୍ଟ ଆଗାମୀ ଶୁଣାଣି ଆସନ୍ତକାଲି କରିବେ ବୋଲି ସୂଚନା ଦେଇଛନ୍ତି । ଏହି ସମୟରେ ଉଭୟ ପକ୍ଷର ଓକିଲ କୋର୍ଟରେ ଉପସ୍ଥିତ ଥିଲେ । ଅନ୍ୟପଟେ ଏହି ତିନି ଦଳ ଆବେଦନରେ ଦର୍ଶାଇଛନ୍ତି ସେମାନଙ୍କ ପାଖରେ ୧୫୪ ଜଣ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ରାଜ୍ୟପାଳ ଏହି ତିନି ଦଳକୁ ସରକାର ଗଢିବା ପାଇଁ ଡାକନ୍ତୁ ବୋଲି ଅପିଲ କରିଛନ୍ତି ।