ମଥୁରା(ଏଯିଆର ବ୍ୟୁରୋ): ଆପଣ ମାନେ ଜାଣିଥିବେ ଯେ ଆମ ଦେଶରେ ଥିବା ମନ୍ତ୍ରୀ ଓ ନେତା ମାନଙ୍କର ସୁରକ୍ଷା ପାଇଁ ପୋଲିସ ମାନଙ୍କୁ ମୁତୟନ କରାଯାଇଥାଏ । ତେବେ କେବେ ଶୁଣିଛନ୍ତି କି ଆମ ଦେଶର ପ୍ରଥମ ନାଗରିକ କୁହାଯାଉଥିବା ରାଷ୍ଟ୍ରପତିଙ୍କୁ ଏକ ଲଙ୍ଗୁର ସୁରକ୍ଷା ଯୋଗାଇ ଦେବାର । ଆଜ୍ଞ ହଁ କଥାଟା ଶୁଣିବାକୁ ଅଡୁଆ ଲଗୁଥିଲେ ମଧ୍ୟ ସତ । ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଥୁର ଗସ୍ତ କରିଥିଲେ । ତେବେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପଳଟିଥିଲା । କାରଣ ରାଷ୍ଟ୍ରପତି ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ କରିବା ପାଇଁ ଯାଇଥିଲେ । ଯେଉଁଠି ମାଙ୍କଡ ମାନଙ୍କ ଉତୁପାତ ହେବାର ଖବର ପୂର୍ବରୁ ପ୍ରଶାସନର ଚିନ୍ତାର ବିଷୟ ଥିଲା । ଏହା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କର ଚଷମା ଓ ଖାଦ୍ୟ ସାମଗ୍ରୀ ଛଡାଇ ନେଇଥାନ୍ତି । ତେବେ ଏହାକୁ ନେଇ କିଭଳି ପୋଲିସ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁରକ୍ଷା ଦେବେ ତାହା ଚିନ୍ତା କରୁଥିଲେ ।
ଏହି ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ଲଙ୍ଗୁର ମୁତୟନ କରାଯାଇଥିଲା । ତେବେ ୨୮ ତାରିଖରେ ରାଷ୍ଟ୍ରପତି ରାମକୃଷ୍ଣ ମୀଶନରୁ ଭିଆଇପି ପାର୍କିଂ ପର୍ଯ୍ୟନ୍ତ ଗାଡିରେ ପହଞ୍ଚି ଥିଲେ । ସେଠାରୁ ସେ ପ୍ରାୟ ୩୦୦ଶହ ମିଟର ରାସ୍ତା ଚାଲିଚାଲି ଯାଇଥିଲେ । ରାଷ୍ଟ୍ରପତି ଯାଉଥିବା ଗଳି ରାସ୍ତାର ଦୁଇପାଶ୍ୱର୍ ଥିବା ଘର ଉପରେ ମାଙ୍କଡ ଥିବା ରୁ ଘର ଛାତ ମାନଙ୍କ ଉପରେ ପୋଲିସ ଲାଠି ଧରି ଜଗି ରହିଥିଲେ । ତେବେ ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ଏକ ଲଙ୍ଗୁର ତାଙ୍କୁ ସୁରକ୍ଷା ଦେଇଥିଲା । ପୋଲିସ ଫୋର୍ସ ସହ ଲଙ୍ଗୁର ମୁତୟନ କରିବାର କାରଣ ଏହା କି ମାଙ୍କଡ ମାନେ ଲଙ୍ଗୁର ମାନଙ୍କୁ ଭୟ କରିଥାନ୍ତି । ଲଙ୍ଗୁର ମାନେ ଯେଉଁଠି ଥାନ୍ତି ମାଙ୍କଡ ମାନେ ସେହି ଅଞ୍ଚଳ ଛାଡି ପଳାନ୍ତି । ତେବେ ସୁରକ୍ଷା ବ୍ୟବସ୍ଥା ପାଇଁ ଲଙ୍କୁର ମୁତୟନ କରାଯିବା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଗସ୍ତ ସମୟରେ ମଧ୍ୟ ଲଙ୍ଗୁର ମୁତୟନ କରାଯାଇଥିଲା ।