ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଳିଏ ନଦେଖିଲେ ପାଗଳ ପରି ଲାଗୁଥିଲା । ସବୁଦିନ ଲାଗି ସେ ପୁଣି ଦୂରେଇ ଯିବ । ଏ ହୃଦୟ ସହିବ ବା କେମିତି । ଖାସ ଏଥିପାଇଁ ତ’ ସବୁଦିନ ଲାଗି ରୁଷି ଗଲା । ଜଣେ ଥାଉ ଥାଉ ଆଉ ଜଣେ ପୂରା ଦୁନିଆ ଛାଡିଦେଲା । ପ୍ରେମିକାର ରାଗକୁ ସହିନପାରି ସବୁଦିନ ଲାଗି ରୁଷି ଯାଇଛି ଆଜି ପ୍ରେମିକ । କରିଛି ଆତ୍ମହତ୍ୟା । ସବୁଠୁ ବଡ଼ କଥା ହେଉଛି ପ୍ରେମିକା ଓଢ଼ଣୀ ହିଁ ପ୍ରେମିକ ପାଇଁ ସାଜିଛି ନାଗଫାଶ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଜଧାନୀରେ ।
ପ୍ରେମିକା ଓଢ଼ଣୀ ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ପ୍ରେମିକାକୁ ଅଟକ ରଖି ପଚରାଉଚରା କରୁଛି । ଖଣ୍ଡଗିରି ଥାନା ଅଁଚଳରେ ଏମିତି ଘଟଣା ନଜରକୁ ଆସିଛି । ଆତ୍ମହତ୍ୟା କରିଥିବା ଯୁବକ ହେଉଛନ୍ତି ବାଲେଶ୍ୱରର ଶଶିକାନ୍ତ ପଣ୍ଡା । ଏକ ବ୍ୟାଙ୍କର ଫିଲ୍ଡମ୍ୟାନେଜର ଭାବେ କାମ କରୁଥିବା ଶଶାଙ୍କ ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ବେଶ ଭଲ ସମ୍ପର୍କ ମଧ୍ୟ ଥିଲା । ଉଭୟ ସାଙ୍ଗହୋଇ ଖଣ୍ଡଗିରି ଥାନା ଜୟଦେବ ବାଟିକା ପାର୍କକୁ ବୁଲିବାକୁ ଆସିଥିଲେ । ତେବେ ସେଠାରେ କିଛି ସମୟ ବିତାଇଥିବା ମଧ୍ୟ ପୁଲିସ ରିପୋର୍ଟରୁ ଜଣାପଡିଛି ।
ତେବେ କ’ଣ ହେଲା କେଜାଣି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ପ୍ରେମିକାର କୌଣସି କଥା ବେଶ ବାଧିଥିଲା ଶଶାଙ୍କକୁ । ପ୍ରେମିକା କିଛି ବୁଝିବା ପୂର୍ବରୁ ତା’ ଓଢ଼ଣୀ ଲଗାଇ ସବୁଦିନ ଲାଗି ଆଖି ବୁଜିଥିଲେ ଶଶାଙ୍କ । ସ୍ଥାନୀୟ ସିକ୍ୟୁରିଟି ଗାର୍ଡ ଘଟଣା ସମ୍ପର୍କରେ ଜାଣିବା ବେଳକୁ ସବୁ କିଛି ଶେଷ ହୋଇସାରିଥିଲା । ଶଶାଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖରେ ପ୍ରେମିକା କଇଁକଇଁ ହୋଇ କାନ୍ଦୁଥିଲେ । ଏ ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ମୃତଦେହକୁ ଜବତ କରିଥିଲା । ପୂରା ଘଟଣା ସମ୍ପର୍କରେ ଜାଣିବା ପାଇଁ ପୁଲିସ ପ୍ରେମିକାକୁ ଅଟକ ରଖି ପଚରାଉଚରା କରୁଛି ।
ଶୁଣାଯାଉଛି ଶଶାଙ୍କ ପୂର୍ବରୁ ବିବାହ କରିସାରିଥିବା ଜାଣିବା ପରେ ପ୍ରେମିକା ସହ ତାଙ୍କର ଝଗଡ଼ା ହୋଇଥିଲା । ଯେତେ ବୁଝାଇଲେ ବି ପ୍ରେମିକା ରାଜି ନହେବାରୁ ସେ ସବୁଦିନ ଲାଗି ରୁଷି ଯାଇଥିବା ଜଣାପଡିଛି । ସେପଟେ ପ୍ରେମିକା ଆଖିଆଗରେ ପ୍ରେମିକ ଆତ୍ମହତ୍ୟା କରିବା ଘଟଣା ପୂରା ରାଜଧାନୀରେ ଚାଁଚ୍ୟଲ ଖେଳାଇଦେଇଛି ।