ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିର୍ମାଣ ହେବ ଗୋପାଳପୁରରୁ ଦିଘା କୋଷ୍ଟାଲ ହାଇୱେ । କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ନିର୍ମାଣ ହେବ ଏହି ହାଇୱେ । ଏହି ରାସ୍ତା ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଥିଲେ । ହେଲେ ୨ବର୍ଷର ଟଣାଓଟରା ପରେ ରାଜ୍ୟ ସରକାର ଏହି ରାସ୍ତା ନିର୍ମାଣ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଏହି ହାଇୱେକୁ ସମୁଦ୍ର କୂଳେ କୂଳେ ନେବା ପାଇଁ ଦାବୀ କରୁଥିବା ବେଳେ ଏଥିରେ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ ଜାତୀୟ ରାଜପଥର କର୍ତ୍ତୃପକ୍ଷମାନେ ଏଥିରେ ରାଜି ହେଉନଥିଲେ ।
ଜାତୀୟ ରାଜପଥର କର୍ତ୍ତୃ ପକ୍ଷମାନେ ତାଙ୍କ ନକ୍ସା ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ପ୍ରସ୍ତାବ ରଖୁଥିଲେ । ଶେଷରେ ଦୁଇ ବର୍ଷର ଟଣାଓଟାର ପରେ ରାଜ୍ୟ ସରକାର ଜାତୀୟ ରାଜପଥର କର୍ତ୍ତୃପକ୍ଷମାନେ ଦ୍ୱାରା ପ୍ରସ୍ତାବିତ ଡିଜାଇନ ଅନୁଯାଇ ରାସ୍ତା ନିର୍ମାଣ କରିବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରସ୍ତାବକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ଏହା ଗଞ୍ଜାମର ଗୋପାଳପୁରରୁ ବାହାରି ପଶ୍ଚିମବଙ୍ଗର ଦିଘା ରେ ଯାଇ ମିଶିବ । ଏହା ଗୋପାଳପୁରରୁ ଠାରୁ ବାହାରି ସାତପଡା, ପୁରୀ, କୋଣାର୍କ, ଅସ୍ତରଙ୍ଗ, ରତନପୁର, ଧାମରା, ବାସୁଦେବପୁର, ଚାନ୍ଦପୁର ଦେଇ ଦିଘାରେ ପହଞ୍ଚିବ । ଏହି ହାଇୱେର ଲମ୍ବ ୪୫୧ କିଲୋମିଟର ରହିବ । ଏହି ହାଇୱେ ନିର୍ମାଣ ପାଇଁ ୨୧ଶହ ୯୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।