ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଜି ଖୋଲିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର । ଅପରାହ୍ନ ୨ଟାରେ ଖୋଲାଯିବାର ସମୟ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରତ୍ନଭଣ୍ଡାର ଅଳଙ୍କାର ତଉଲାଇବାକୁ ଅନୁମତି ମିଳି ନଥିଲେ ହେଁ ଏହା ଭିତର ସ୍ଥିତି କ’ଣ ତାହା ଜାଣିବା ପାଇଁ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ରତ୍ନଭଣ୍ଡାର ଖୋଲାଗଲେ ମଧ୍ୟ ଏହା ମଧ୍ୟରେ ଗଜପତି ମହାରାଜ ଯାଉ ନଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗଜପତି ମହାରାଜ ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପରମ ସେବକ ।
ରତ୍ନଭଣ୍ଡାରରେ ଥିବା ସସସ୍ତ ସୁନା, ରୁପା, ମୋତି ମାଣିକ୍ୟ ଗଜପତି ମହାରାଜାଙ୍କ ପୂର୍ବପୁରୁଷଙ୍କ ଦ୍ୱାରା ନିର୍ମିତ ଏବଂ ଗଚ୍ଛିତ ହୋଇ ରହିଛି । ନୀତି ନିୟମ ଅନୁସାରେ ଗଜପତିଙ୍କ ଉପସ୍ଥିତିରେ ହିଁ ଏହି ରତ୍ନଭଣ୍ଡାର ଖୋଲାଯିବା କଥା । ଗଜପତି ରତ୍ନଭଣ୍ଡାରକୁ ଯିବେ ନାହିଁ ବୋଲି ସ୍ଥିର ହେବାରୁ ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ଏହା ଉପରେ ପ୍ରଶ୍ନ କରିଛି । ସମ୍ମିଳନୀ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ଶ୍ରୀ ମନ୍ଦିର ପରିଚାଳନା ସଭାର ଓ ବିଭିନ୍ନ ନିଯୋଗର ବୈଠକ ପରେ ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇଛି ।
ନିଷ୍ପତ୍ତି କ୍ରମେ ରତ୍ନଭଣ୍ଡାର ଭିତରକୁ ଯିବାକୁ ଥିବା ପ୍ରାଧିକୃତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶ୍ରୀ ଗଜପତି ମହାରାଜାଙ୍କ ନାଁ ରହିଥିଲା । ମାତ୍ର କିଛି ସମୟ ମଧ୍ୟରେ ଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ରତ୍ନଭଣ୍ଡାର ମଧ୍ୟକୁ ଯିବାକୁ ଘୋଷଣା କରାଯାଇଛି । ଏହା ପରମ୍ପରା ବିରୋଧୀ । ଏହାଦ୍ୱାରା ଜଗନ୍ନାଥ ସଂସ୍କୃତି ଲୋପ ପାଇଯିବ ବୋଲି ସମ୍ମିଳନୀ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତାକାଲି କ’ଣ ଘଟୁଛି, ତାହା ଉପରେ ସମସ୍ତଙ୍କ ନଜର ।
ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ରହସ୍ୟ ଜାଣିବା ପାଇଁ କୋଟିକୋଟି ଜଗନ୍ନାଥ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଏକବିଂଶ ଶତାବ୍ଦୀରେ ପ୍ରଥମଥର ପାଇଁ ବୁଧବାର ରତ୍ନଭଣ୍ଡର ଖୋଲଯିବାର କାର୍ଯ୍ୟକ୍ରମ ରହିଛି । ରତ୍ନଭଣ୍ଡାରକୁ ନେଇ ଅନେକ ଅଲୌକିକ ଓ ଲୋମହର୍ଷଣକାରୀ ଘଟଣା ଶୁଣିବାକୁ ମିଳୁଛି ।
ଇଂରେଜ ଶାସନ ସମୟରେ ଜଣେ ଜିଲ୍ଲାପାଳ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରି ତଳିତଳାନ୍ତ ହୋଇଥିବା ମଧ୍ୟ କୁହାଯାଉଛି । ତେବେ ଶେଷଥର ପାଇଁ ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିଲା । ୪ ଜଣିଆ କମିଟି ରତ୍ନଭଣ୍ଡାର ଖୋଲି ଏହା ମଧ୍ୟରୁ ମହାପ୍ରଭୁଙ୍କର କିଛି ନିତ୍ୟବ୍ୟବହାର୍ଯ୍ୟ ଅଳଙ୍କାର ଆଣିଥିଲା । ହେଲେ ପୁରା ରତ୍ନଭଣ୍ଡାର ଖୋଲିବାରେ କମିଟିକୁ ଅନୁମତି ନଥିଲା । ବଡ଼ ଦୀପର ଆଲୋକରେ ୪ ଜଣିଆ କମିଟିର ସଦସ୍ୟମାନେ ଏହା ମଧ୍ୟକୁ ଯାଇଥିଲେ ।
କୁହାଯାଏ ଏକ ଅନ୍ଧାର କୋଠରୀ ମଧ୍ୟରେ ଟନ୍ ଟନ୍ ଅଳଙ୍କାର ବିଭିନ୍ନ ସିନ୍ଧୁକରେ ରହିଛି । ହେଲେ ଏଥିରେ କେତେ ସତ୍ୟତା ରହିଛି, ତାହା ଜଣାପଡିନାହିଁ । ରତ୍ନଭଣ୍ଡାରର ୩ଟି ଚାବି ରହିଛି । ଗୋଟିଏ ସରକାରଙ୍କ ପାଖରେ, ଗୋଟିଏ ଗଜପତି ମହାରାଜାଙ୍କ ପାଖରେ ଓ ଆଉ ଗୋଟିଏ ଭଣ୍ଡାର ମେକାପଙ୍କ ପାଖରେ । ଭଣ୍ଡାର ମେକାପ୍ ପ୍ରତିଦିନ ଏହା ମଧ୍ୟରେ ଦୀପ ଦେଉଥିବା କୁହାଯାଉଛି । ରତ୍ନଭଣ୍ଡାରର ପ୍ରଥମ କୋଠରୀରେ ମହାପ୍ରଭୁଙ୍କ ବେଶ ଓ ନୀତିକାନ୍ତି ପାଇଁ ବିଭିନ୍ନ ପ୍ରକାରର ଅଳଙ୍କାର ରହିଥିବା ବେଳେ ଭିତର ଭଣ୍ଡାରରେ ଅନେକ ସୁନା, ହୀରା, ମଣି, ମୁକ୍ତା ଭଳି ଦୁର୍ଲବ ଅଳଙ୍କାର ରହିଛି ।
ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗ ମଣ୍ଡପରେ ଅନୁମୋଦିତ ୧୦ ଜଣିଆ ଦଳ ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବେ । ସେମାନଙ୍କୁ ତନତନ୍ କରି ପ୍ରଥମେ ସୁରକ୍ଷାକର୍ମୀ ଓ ପରେ ଭଣ୍ଡାର ମେକାପ୍ ଯାଞ୍ଚ କରିବେ । କେବଳ ଖଣ୍ଡେ ଗାମୁଛା ପିନ୍ଧି ସେମାନେ ଏହା ମଧ୍ୟକୁ ପ୍ରବେଶ କରିବେ । ଶ୍ରୀମନ୍ଦିର ସ୍ଵତଲିପି ଅନୁଯାୟୀ ଗଜପତି ମହାରାଜଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ୍, ତଡ଼ଉ କରଣ, ଦେଉଳ କରଣ, ଏଏସ୍ଆଇର ୨ଜଣ ଇିଂଜିନିୟର, ଏଏସ୍ଆଇର କୋର କମିଟିର ୨ଜଣ ସଦସ୍ୟ ଜିସି ମିତ୍ର ଓ ଏନ୍ସି ପାଲ୍ ଓ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ୍ ଏକକେ ମହାନ୍ତି ରତ୍ନଭଣ୍ଡାର ମଧ୍ୟକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ଏମାନେ ରତ୍ନଭଣ୍ଡରାରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଲୋକନାଥଙ୍କ ପାଖକୁ ଯିବେ । ସେଠାରେ ସେମାନେ ପୂଜାଚ୍ଚର୍ନ କରିବା ସହ ଭିତରେ ଯାହା ଦେଖିବେ, ସେକଥା ବାହାରେ ପ୍ରଘଟ କରିବେ ନାହିଁ ବୋଲି ଶପଥପାଠ କରିବେ । ଏମାନେ ନିର୍ଦ୍ଦିଷ୍ଟ କେତେ ସମୟ ରତ୍ନଭଣ୍ଡାରର ଯାଞ୍ଚ କରିବେ ତାହା ସ୍ଥିର ହୋଇନାହିଁ । ତେବେ ଯାଞ୍ଚ ଶେଷ ହେବା ଯାଏ ସାଧାରଣ ଭକ୍ତଙ୍କ ପାଇଁ ବୁଧବାର ଦର୍ଶନ ବନ୍ଦ ରହିବ ।
ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେଉଁ ଅଧିକୃତ ବ୍ୟକ୍ତିମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କୁ ତନ୍ନତନ୍ନ ଯାଞ୍ଚ କରାଯିବ । ଏସଓପି କଡ଼ାକଡ଼ି ଭାବେ ପାଳନ କରାଯିବ । ଛତିଶାନିଯୋଗର କୌଣସି ପ୍ରତିନିଧି ଭଣ୍ଡାର ଭିତରକୁ ଯିବେନାହିଁ । ସେମାନେ ବେହରଣ ଦ୍ୱାରା ମୁକ୍ତିମଣ୍ଡପ ସମ୍ମୁଖରେ ରହିବେ । ଅଧିକୃତ ବ୍ୟକ୍ତି ଓ ଅଧିକାରୀମାନଙ୍କୁ ଏକାଧିକ ବାର ତଲାସ କରାଯିବ । ଯାଞ୍ଚ ପରେ ସେମାନେ ମାଜଣା ମଣ୍ଡପକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦ ଗାମୁଛା ପିନ୍ଧିବେ । ପୁନର୍ବାର ପୁଲିସ ଦ୍ୱାରା ଯାଞ୍ଚ କରାଯିବ ।
ସ୍ଵତଲିପି ଅନୁସାରେ ଯାଞ୍ଚ ପରେ ସେମାନେ ଭିତରକୁ ଯିବେ । ଭଣ୍ଡାର ଭିତରକୁ ଯିବାପାଇଁ ଏଲଇଡି ଲାଇଟର ବ୍ୟବସ୍ଥା କରାଯିବ । ସେମାନେ କେବଳ ଭଣ୍ଡାର ଘରର କାନ୍ଥ ଓ ଛାତର ନିରୀକ୍ଷଣ କରିବେ । ଯାଞ୍ଚ ପରେ ସେମାନେ ବାହାରକୁ ଆସିବେ ଓ ଭଣ୍ଡାର ମେକାପ ଓ ପୁଲିସ ଦ୍ୱାରା ମିଳିତଭାବେ ଯାଞ୍ଚ କରାଯିବ । ଏହା ପରେ ସେମାନେ ମାଜଣା ମଣ୍ଡପକୁ ଆସି ପୋଷାକ ପରିବର୍ତ୍ତନ କରିବେ । ଏହାପରେ ପୁନର୍ବାର ସେମାନଙ୍କୁ ଯାଞ୍ଚ କରାଯିବ । ସମସ୍ତେ ସ୍ୱାକ୍ଷର କରି ସେମାନଙ୍କ ନିରୀକ୍ଷଣ ରିପୋର୍ଟ ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିବେ ।
ଭଣ୍ଡାର ଭିତରକୁ ହଠାତ କେହି ପ୍ରବେଶ କରିବେ ନାହିଁ । ଏକ ଯନ୍ତ୍ରଦ୍ୱାରା ଭିତରର ବାୟୁ ବାହାରକୁ ବାହାର କରାଯିବ ଏବଂ ବାହରର ତାଜା ବାୟୁ ଭିତରକୁ ଛଡ଼ାଯିବ । ବର୍ତ୍ତମାନ ସୁଦ୍ଧା ଏଏସ୍ଆଇ ୩ ଜଣ ଇଞ୍ଜିନୟରଙ୍କ ନାଁ ଦେଇ ସାରିଛି । ଯାହାକୁ ଯାହା ଦାୟିତ୍ୱ ଦିଆଯାଇଛି ସ୍ୱତ୍ତଲିପି ଅନୁଯାୟୀ ସେମାନେ ସେମାନଙ୍କର ଦାୟିତ୍ୱ ତୁଲାଇବେ । ଶ୍ରୀମନ୍ଦିର ଆଇନ୍ ଓ ସ୍ୱତ୍ତଲିପି ଅନୁଯାୟୀ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହେବ ।
ଭକ୍ତଙ୍କୁ ଦୃଷ୍ଟିରେ ରଖି ଯଥାଶ୍ରୀଘ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି । ୧୯୭୮ ତାଲିକା ଅନୁଯାୟୀ ମହାପ୍ରଭୁଙ୍କ ପାଖରେ ମୋଟ୍ ୪୫୪ ପ୍ରକାରର ୧୨ ହଜାର ୮୩୮ ଭରି ସୁନା, ୨୯୩ ପ୍ରକାରର ୨୨ ହଜାର ୧୫୩ ଭରି ରୁପା ରହିଛି । ଏହା ମଧ୍ୟରେ ଆହୁରି କିଛି ସୁନା ରୁପା ଅଛି ଯାହାକୁ ଓଜନ କରାଯାଇ ପାରିନାହିଁ । ହୀରା, ନୀଳା, ମୋତି ମାଣିକ୍ୟ ଭଳି ମୂଲ୍ୟବାନ ରତ୍ନପଥରକୁ ବାଦ୍ ଦେଲେ ମହାପ୍ରଭୁଙ୍କ ଭିତର ଓ ବହାର ରତ୍ନଭଣ୍ଡାରର ସବୁ ସୁନା ଓ ରୁପାର ଆଜିକା ଦିନରେ ବଜାର ମୂଲ୍ୟ ପାଖାପାଖି ୫୦ କୋଟି ବୋଲି ଆକଳନ କରାଯାଉଛି ।