ବେଙ୍ଗଲୁରୁ(ଏଟିଆର ବ୍ୟୁରୋ): ଗୋଟିଏ ମା ଛୁଅ ପ୍ରସବ କଲାର ଗୋଟିଏ ଦିନ ପରେ ନିଜର ବିଏସସି ପରୀକ୍ଷା ଦେଇଛନ୍ତି । ଗୋଟିଏ ହାତରେ ପରୀକ୍ଷା ଦେବା ପାଇଁ ପେନ ତ ଆଉ ଗୋଟିଏ ହାତରେ ଦିନକର କଅଁଳା ଶିଶୁ ପୁତ୍ର । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ଶଦାଶିବ ନଗର କଲେଜରେ । ଏହି କଲେଜର ବିଏସସି ଛାତ୍ରୀ ହର୍ଷିତା ଏସଆର ଗତ ବୁଧବାର ଦିନ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ।
ତେବେ ଏହାର ଠିକ ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଦିନ ହର୍ଷିତା ପରୀକ୍ଷା ଦେବା ପାଇଁ କଲେଜରେ ପହଞ୍ଚି ଥିଲେ । ଯଦିଓ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେଉଥିଲା ହେଲେ ଏହାକୁ ଖାତିରି ନକରି ସମସ୍ତଙ୍କୁ ଚମକାଇ ନିର୍ଦ୍ଧାରିତ ସମୟରେ ବୀରେନ୍ଦ୍ର ପାଟିଲ ଡିଗ୍ରୀ କଲେଜ ସ୍ଥିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ହର୍ଷିତା । ତେବେ କଲେଜ ପକ୍ଷରୁ ତାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ବ୍ୟବସ୍ଥା କରାଯାଇଥିଲା । ଏହି ପରୀକ୍ଷା ଦେବା ପରେ ହର୍ଷିତା କହିଛନ୍ତି ଯେ, ମୁଁ ଯେମିତି ହେଲେ ଏହି ପରୀକ୍ଷା ଦେବାକୁ ଚାହୁଁଥିଲି । ଏଥର ପରୀକ୍ଷା ଦେଇ ନପାରିଥିଲେ ପୁଣି ଆରବର୍ଷକୁ ଅପେକ୍ଷା କରିବାକୁ ପଡିଥାନ୍ତା । ଏହି ପରୀକ୍ଷା ଦେବା ପାଇଁ ତାଙ୍କ ପରିବାର ଓ କଲେଜ ତାଙ୍କୁ ଯଥେଷ୍ଟ ସହଯୋଗ କରିଛନ୍ତି ବୋଲି ହର୍ଷିତା କହିଥିଲେ । ତେବେ ହର୍ଷିତାଙ୍କ ପାଠ ପଢିବା ପାଇଁ ଦୃଢ ମନ ବଳ ବର୍ତ୍ତମାନ ସ୍ଥାନୀୟ ଲୋକ ମାନଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଳଟିଛି ।