ହେଲସିନକି(ଏଟିଆର ବ୍ୟୁରୋ): ଗତ ମଙ୍ଗଳବାର ଦିନ ଫିନଲ୍ୟାଣ୍ଡର ସୋଶାଲ ଡେମୋକ୍ରାଟିକ ପାର୍ଟିର ନେତା ଆଣ୍ଟି ରିନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆଣ୍ଟି ରିନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦବାର ମୁଖ୍ୟ କାରଣ ହେଉଛି ଡାକ କର୍ମଚାରୀଙ୍କ ଆନ୍ଦୋଳନ । ଗତ ୧ ମାସଧରି ଦେଶରେ ଡାକ କର୍ମଚାରୀ ମାନେ ଅନ୍ଦୋଳନ କରୁଥିଲେ । ସୂଚନା ଅନୁସାରେ ଆଣ୍ଟି ରିନେ ସରକାର ଗଢିବା ପରେ ୭୦୦ ଡାକ କର୍ମଚାରୀଙ୍କ ଦରମା କାଟ କରିବାର ନିଷ୍ପତି ନେଇଥିଲେ । ଯାହାକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନ ପ୍ରଦଶନ କରାଯାଉଥିଲା । ଫଳରେ ଆଣ୍ଟି ରିନେ ସୋଶାଲ ଡେମୋକ୍ରାଟିକ ପାର୍ଟିର ନେତା ମାନଙ୍କର ବିଶ୍ୱାସ ହରାଇଥିଲେ । ଆଣ୍ଟି ରିନେ ଇସ୍ତଫା ଦେବା ପରେ ସନା ମରିନଙ୍କ ନାଁ ସୁପାରିଶ କରିଥିଲେ ।
ସୋଶାଲ ଡେମୋକ୍ରାଟିକ ପାର୍ଟିର ନେତା ମାନ ସନା ମରିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ସନା ମରିନ ଫିନଲ୍ୟାଣ୍ଡର ଟ୍ୟାମ୍ପରେ ବିଶ୍ୱ ବିଦ୍ୟାଳୟରୁ ପ୍ରଶାସନିକ ବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିଛନ୍ତି । ଏହା ପରେ ସେ ମାତ୍ର ୨୭ ବର୍ଷ ବୟସରେ ଫିନଲ୍ୟାଣ୍ଡର ସ୍ଥିତ ଟ୍ୟାମ୍ପରେର ନଗର ପରିଷଦର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ତେବେ ସୋଶାଲ ଡେମୋକ୍ରାଟିକ ପାର୍ଟି ତରଫରୁ ସନା ମରିନ ଜୁନ ୨୦୧୯ରେ ପରିବହନ ଓ ସଞ୍ଚାର ମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ସନା ମରିନଙ୍କୁ ୩୪ ବର୍ଷ ବୟସ ହୋଇଥିବାରୁ ସେ ବିଶ୍ୱର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ମରିନଙ୍କ ପରେ ବିଶ୍ୱର ଦ୍ୱିତୀୟ ସବୁଠାରୁ ସାନ ପ୍ରଧାନମନ୍ତ୍ରୀ ହେଉଛନ୍ତି ୟୁକ୍ରେନର ପ୍ରଧାନମନ୍ତ୍ରୀ ଓଲେକ୍ସି ହୋଞ୍ଚେରୁକ(୩୫) ।