ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସଙ୍କଟ କଟେ ମିଟେ ସବ ପୀରା, ଜୋ ସୁମରୈ ହନୁମତ ବଲବୀରା..ହନୁମାନ ଚାଳିଶାର ଏହି ଚୌପାଇ ଅନୁଯାୟୀ ଯେଉଁ ଭକ୍ତ ହନୁମାନଙ୍କୁ ସୁମରଣ କରିଥାନ୍ତି । ତାଙ୍କ ଜୀବନରେ ଆସିବାକୁ ଥିବା ସମସ୍ତ କଷ୍ଟ ଏବଂ ସଙ୍କଟ ଦୂର ହୋଇଥାଏ । ତାଙ୍କ ଜୀବନରେ କଲ୍ୟାଣ ହୋଇଥାଏ । ସେଥିପାଇଁ ଭଗବାନ ହନୁମାନଙ୍କ ଆର୍ଶିବାଦ ପାଇବା ପାଇଁ ଭକ୍ତଙ୍କୁ ମଙ୍ଗଳବାର ଏବଂ ଶନିବାର ଦିନ ଏକ କାମ କରିବା ଉଚିତ୍ । ତାହା ହେଉଛି ହନୁମାନଙ୍କଠାରେ ସିନ୍ଦୁର ଲାଗି କରିବା । ହନୁମାନଙ୍କୁ ପ୍ରସନ୍ନ କରିବାର ଏହା ସବୁଠାରୁ ଉତ୍ତମ ଉପାୟ । ହନୁମାନଙ୍କ ପ୍ରିୟ ହେଉଛି ସିନ୍ଦୁର । ସେଥିପାଇଁ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବା ଏବଂ ଲେପନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।
ସିନ୍ଦୁରର ମହତ୍ୱ:
ହିନ୍ଦୁ ଧର୍ମରେ ବି ସିନ୍ଦୁରର ଖୁବ୍ ମହତ୍ୱ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ବି ସିନ୍ଦୁରର ବ୍ୟବହାର କରାଯାଇଥାଏ । ମହିଳାମାନେ ସିନ୍ଦରକୁ ସୌଭାଗ୍ୟ ଏବଂ ଶୃଙ୍ଗାର ପାଇଁ ବ୍ୟବହାର କରିଥାନ୍ତି । ବିନା ସିନ୍ଦୁରରେ ବିବାହ ଅଧା ଭଳି ଅନୁଭବ ହୋଇଥାଏ । ସିନ୍ଦୁରକୁ ମଙ୍ଗଳ ଗ୍ରହ ସହିତ ଯୋଡା ଯାଇଥାଏ । ସେଥିପାଇଁ ଏହାକୁ ମଙ୍ଗଳକାରୀ କୁହାଯାଏ ।
ସୀତା ମାତା ତାଙ୍କ ମଥାରେ ସିନ୍ଦୁର ଲଗାଉଥିଲେ । ଗୋଟେ ଥରେ ହନୁମାନ ତାଙ୍କୁ ପଚାରିଲେ ଆପଣ ମଥାରେ ସିନ୍ଦୁର କାହିଁକି ଲଗାଉଛନ୍ତି । ଏହାର ଉତ୍ତରରେ ମାତା ସୀତା କହିଥିଲେ କି, ଏହାଦ୍ୱାରା ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇଥାନ୍ତି । ଏହାକୁ ଶୁଣିଲା ପରେ ହନୁମାନ ତାଙ୍କ ପୂରା ଶରୀରରେ ସିନ୍ଦୁର ଲେପନ କରିଦେଇଥିଲେ । ସେବେଠାରୁ ସିନ୍ଦୁର ହନୁମାନଙ୍କର ଅତି ପ୍ରିୟ ଅଟେ ।
ଯଦି ଆପଣ ଦୀର୍ଘ ଦିନ ହେବ କୌଣସି ସମସ୍ୟା ଘେରରେ ଅଛନ୍ତି ତେବେ ମଙ୍ଗଳବାର ଏବଂ ଶନିବାର ସ୍ନାନ ସାରି ସଫା ବସ୍ତ୍ର ଧାରଣ କରି , ଯେକୌଣସି ହନୁମାନ ମନ୍ଦିର ଯାଇ ଭଗବାନଙ୍କ ମୂର୍ତ୍ତିରେ ସିନ୍ଦୁର ଚଢାନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସମସ୍ତ ସଙ୍କଟ ଦୂର ହୋଇଯିବ । ନିୟମାନୁସାରେ କେବଳ ପୁରୁଷ ମାନେ ହିଁ ହନୁମାନଙ୍କ ମୂର୍ତ୍ତିରେ ସିନ୍ଦୁର ଲାଗି କରିପାରିବେ । ମହିଳାମାନେ ସିନ୍ଦୁର ଲାଗି କରିବା ଅନୁଚିତ୍ ।