ଅନୁଗୋଳ ( ଏଟିଆର ବ୍ୟୁରୋ): ଜନ୍ମ ଦିନରେ ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଦଶହରା ପଡିଆ ନିକଟରେ । ଏକ ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବାରୁ ମା ପୁଅଙ୍କ ଜୀବନ ଚାଲିଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିିଛି । ଏହି ଦୁର୍ଘଟଣା ଘଟିଛି ଆଜି ସକାଳେ ।
ସୂଚନା ଅନୁସାରେ ମୃତକ ମା କବିତା ସାହୁ ଏବଂ ତାଙ୍କ ପୁଅ ଶୁଭମ ସାହୁ ମନ୍ଦିର ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଆଜି ଶୁଭମଙ୍କର ଜନ୍ମ ଦିନ ରହିଥିବାରୁ ମା ଓ ପୁଅ ଅନୁଗୁଳ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ସେଠାରେ ମାଙ୍କ ଆଶୀର୍ବାଦ ନେଇ ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଅନୁଗୁଳ ଦଶହରା ପଡିଆ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ମା ପୁଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି ।