ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀ ଏବେ ପାଲଟିଛି ବିଷ ବଳୟ । ଘରୁ ପଦାକୁ ଗୋଡ କାଢିଲେ ନିଶ୍ୱାସରେ ଯାଉଛି ଖାଲି ବିଷ ଆଉ ବିଷ । ଯାହାକୁ ନେଇ ଏବେ ପୁରା ଦେଶ ଚିନ୍ତାରେ । ଦିନକୁ ଦିନ ଯେଉଁ ପରିମାଣରେ ବାୟୁ ପ୍ରଦୂଷଣ ବୁଦ୍ଧି ପାଇବାରେ ଲାଗିଛି ତାକୁ ନେଇ ଏବେ ଦିଲ୍ଲୀରେ ରହୁଥିବା ସମସ୍ତ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦେଶର ସବୁ ବଡବଡ ରାଜ୍ୟର ପାଖାପାଖି ସମାନ ସମସ୍ୟାରେ ସାମ୍ନା କରିବାକୁ ଯାଉଛନ୍ତି । ଏହିଭଳି ସମୟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଯେଉଁଭଳି ଭାବରେ ପ୍ରଦୂଷଣ ବଢିବାରେ ଲାଗିଛି ତାହାକୁ ଲକ୍ଷ୍ୟ କରି ଭୁବନେଶ୍ୱରର ତିନୋଟି ସରକାରୀ ଅନୁଷ୍ଠାନ ପ୍ରଦୂଷଣକୁ ରୋକିବା ନିମନ୍ତେ ପଦକ୍ଷପମାନ ଗ୍ରହଣ କରିଛନ୍ତି ।
ଏଣିକି ସପ୍ତାହର ଗୋଟିଏ ଦିନ ଅର୍ଥାତ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏମଏସିଏଲ), ଭୁବନେଶ୍ୱର ମହାନଗର ନିଗମ (ବିଏମସି), ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ (ବିଡିଏ)ର ସମସ୍ତ କାର୍ଯକର୍ତ୍ତା ଏଣିକି ସାଇକେଲରେ ଅବା ଚାଲି ଚାଲି ଆଫିସ ଆସିବେ । ବିଡିଏ ଉପାଧ୍ୟକ୍ଷ ଓ ବିଏମସି କମିଶନର ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ତିନୋଟି ଅନୁଷ୍ଠାନର ପରିଚାଳକ ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ କରିଥିଲେ । ତେବେ ସପ୍ତାହର ପ୍ରତି ଶୁକ୍ରବାର ସାଇକେଲ କିମ୍ବା ଚାଲିଚାଲି ଆସିବା ସହ କୌଣସି ଅଫିସ କାମ ପାଇଁ ଶୁକ୍ରବାର ଦିନ ଗାଡି ନିୟୋଜିତ କରିପାରିବେ ନାହିଁ । ଯଦି ଏହା ହୁଏ ତେବେ ଏହା ପ୍ରଦୂଷଣ କମ କରିବା ପାଇଁ ରାଜ୍ୟର ପ୍ରଥମ ପ୍ରୟାସ ହେବ ବୋଲି କୁହାଯାଉଛି ।