ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ସବୁ ବେଳେ ତତ୍ପର । ଗତ କିଛି ଦିନ ହେବ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲ ପରିଦର୍ଶନ କରୁଛନ୍ତି । ମନ୍ତ୍ରୀ ସ୍କୁଲ ପରିଦର୍ଶନ କରୁଥିବା ସମୟରେ ଶିକ୍ଷା ବ୍ୟବସ୍ଥାର ଅନିୟମିତତା ନେଇ କତ୍ତୃପକ୍ଷଙ୍କୁ ତାଗିତ କରିବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି । ତେବେ ରାଜ୍ୟରେ ଶିକ୍ଷା ବ୍ୟବସ୍ତାରେ ସୁଧାର ଆଣିବା ସହ ଏହାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର ପ୍ରତିଷ୍ଠା କରିବେ । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ବାବଦରେ ସୂଚନା ଦେଇଛନ୍ତି ।
କିଛିଦିନ ତଳେ ମନ୍ତ୍ରୀ ମାଲକାନାଗିରି ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନରେ ଯାଇଥିଲେ ।ସେଠାରେ ସ୍କୁଲର ଅବ୍ୟବସ୍ଥା ସାଙ୍ଗକୁ ଶିକ୍ଷକମାନଙ୍କ ନାନା ସମସ୍ୟା ସମ୍ପର୍କରେ ପରିଲଖିତ କରିଥିଲେ । ତେଣୁ ସମସ୍ତ ସ୍ଥିତି ଅନୁସନ୍ଧାନ କରିବା ପରେ ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର ତିଆରି କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟ।ୟରେ ୧୫ଜଣ ଶିକ୍ଷକଙ୍କୁ କ୍ଲଷ୍ଟରରେ ନିଯୁକ୍ତି ଦିଆଯିବ । ଅନେକ ସମୟରେ ଶିକ୍ଷକମାନେ ଯିବା ଆସିବାରେ ୬ଘଣ୍ଟା ଚାଲିଯାଉଥିବାର ଦେଖିବାକୁ ମିଳୁଛି । ତେଣୁ ଶିକ୍ଷାର ବିକାଶ କରିବା ପାଇଁ ଶିକ୍ଷକ କ୍ଲଷ୍ଟର ତିଆରି କରାଯିବ । ଶିକ୍ଷକମାନେ ଯିବା ଆସିବା ନକରି ସେହି କ୍ଲଷ୍ଟରରେ ରହିବେ । ପ୍ରଥମ ପର୍ଯ୍ୟୟରେ ଶିକ୍ଷକ କ୍ଲଷ୍ଟର ନିର୍ମାଣ ହେବା ଫଳରେ ପ୍ରାୟ ୭ଟି ପଞ୍ଚାୟତର ସ୍କୁଲ ଉପକୃତ ହେବେ । ତେବେ ଆସନ୍ତା ୧୮ତାରିଖରେ ଏହି ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।