ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବଲିଉଡର ବହୁ ଅଭିନେତ୍ରୀ ଓ ଅଭିନେତା ମାନେ ସର୍ବଦା ନିଜର ବିବାଦୀୟ ବୟାନଙ୍କୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ବର୍ତ୍ତମାନ ବଲିଉଡର ଜଣେ ଅଭିନେତ୍ରୀ ନିଜର ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି । ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀ । ଇନ୍ଦିରା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ବିରୋଧରେ ପାୟଲ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ପାୟଲଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ କୋର୍ଟ ତାଙ୍କୁ ୮ ଦିନ ପୋଲିସ ରିମାଣ୍ଡରେ ରଖିବାକୁ ନିର୍ଦ୍ଦେଶ ଦେଇଛି ।
ମୋତିଲାଲ ନେହରୁଙ୍କ ଉପରେ ପାୟଲ ଏକ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିବାର ସୂଚନା ମିଳିଛି । ଏହାକୁ ନେଇ ରାଜସ୍ଥାନର ବୁନ୍ଦିର ସଦର ଥାନାରେ ଏକ ମାମଲା ଦାଏର ହୋଇଥିଲା । କଂଗ୍ରେସ ନେତା ଚର୍ମେଶ ଶର୍ମା ଏହି ମାମଲା ଦାଏର କରିଥିଲେ । ପାୟଲଙ୍କୁ ଅହମ୍ମଦାବାଦରୁ ଗିରଫ କରାଯାଇ ବୁନ୍ଦି କୋର୍ଟରେ ହାଜର କରାଯାଇଥିଲା । ବୁନ୍ଦି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ହେବା ପରେ ସୋସିଆଲ ମିଡିଆରେ ପାୟଲଙ୍କ ସପକ୍ଷରେ ବହୁ ଲୋକ ବାହାରିଛନ୍ତି ।