ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତଭାର ନେଇଥିବା କ୍ରାଇମବ୍ରାଁଚର ତଦନ୍ତ ଚାଲିଛି କେମିତି? ଏହାର ଆଉ ଏକ ନଜିର ହେଉଛି ରାଜ୍ୟରେ ଅସଲି ଯୋଜନାରେ ନକଲି ଶିକ୍ଷକ ନିଯୁକ୍ତି ନେଇ ଚାଲିଥିବା ତଦନ୍ତ । ୮ ମାସ ଭିତରେ କ୍ରାଇମବ୍ରାଁଚ ଗୋଟିଏ ବି ମାମଲାରେ ସଫଳତା ପାଇନାହ । ତଦନ୍ତ ତ ଦୂରର କଥା ଆଜି ଯାଏ ତଦନ୍ତକାରୀ ଅଫିସର ନକଲି ଶିକ୍ଷକ ମାମଲା ନେଇ ଘରୋଇ ସଂସ୍ଥାକୁ ନୋଟିସ ଖଣ୍ଡେ ବି ଜାରି କରିନାହାନ୍ତି । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଏହି ନକଲି କାରବାରର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଘରୋଇ ସଂସ୍ଥାର ଅଧିକାରୀ କିମ୍ବା ସଂସ୍ଥା ମୁଖ୍ୟଙ୍କୁ କ୍ରାଇମବ୍ରାଁଚ ରୀତିମତ ସୁରକ୍ଷା ଦେଇ ଚାଲିଛି । ସମ୍ପୃକ୍ତ ସଂସ୍ଥା ସରକାରୀସ୍ତରରେ ମାମଲାକୁ ଚପାଇ ଦେବାକୁ ମଧ୍ୟ ସମର୍ଥ ହୋଇଛି । ‘ଡିଲିଜେନସ ଲର୍ଣ୍ଣିଂ ଫୋକସ ସୋସାଇଟି’ (ଡିଏଲଏଫଏସ) ନାମକ ଏହି ସଂସ୍ଥାର କାରବାର ନେଇ କ୍ରାଇମବ୍ରାଁଚ ପ୍ରାଥମିକ ତଦନ୍ତ ମଧ୍ୟ କରିନଥିବା ଜଣାପଡ଼ିଛି ।
ସମ୍ପୃକ୍ତ ସଂସ୍ଥା କିଭଳି ନକଲି ଶିକ୍ଷକ ନିଯୁକ୍ତି କାରବାର କରି ସରକାରଙ୍କୁ ଭୁଆଁ ବୁଲାଇଛି ସେ ସମ୍ପର୍କରେ ଖୋଦ ତତ୍କାଳୀନ ଗଣ ଶିକ୍ଷା ସଚିବ ରଞ୍ଜନା ଚୋପ୍ରା ତଥ୍ୟ ପ୍ରକାଶ କରିବା ସହ ମାମଲାର ତଦନ୍ତଭାର କ୍ରାଇମବ୍ରାଁଚକୁ ଦେଇଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରାଯାଇଥିଲା । ଇତି ମଧ୍ୟରେ ୮ ମାସ ବିତି ଯାଇଥିଲେ ମଧ୍ୟ ଏତେ ବଡ଼ ଅନିୟମିତତାର କୌଣସି ନିଷ୍କର୍ଷ ବାହାରି ପାରିଲାନି । ଉଜ୍ୱଳ ଯୋଜନାରେ ରାଜ୍ୟରେ ୯ ଲକ୍ଷ ୮୪ ହଜାର ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ପୁଣି ଥରେ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି । ସରକାରୀ ଯୋଜନାକୁ କବଜା କରି କିଭଳି ଏହି ଠକ ସଂସ୍ଥା ବେଧଡ଼କ ଭାବେ ଏଭଳି ଜାଲ ଶିକ୍ଷକ ନିଯୁକ୍ତି କଲା ତାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହା ପଛରେ ସରକାରୀ ଅଧିକାରୀଙ୍କ ହାତ ଥିବାରୁ କ୍ରାଇମବ୍ରାଁଚ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ଆଳ ଦେଖାଇ ଚାପି ଦେଇଥିବା ସନ୍ଦେହ ଏବେ ଦୃଢ଼ୀଭୂତ ହୋଇଛି ।
ଅପେକ୍ଷାକୃତ ଦୁର୍ବଳ ପିଲାଙ୍କ ପାଇଁ ସରକାର ଗତ ୨୦୧୬ରୁ ଆରମ୍ଭ କରିଥିବା ଉଜ୍ୱଳ ଯୋଜନାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ‘ଡିଲିଜେନସ ଲର୍ଣ୍ଣିଂ ଫୋକସ ସୋସାଇଟି’ (ଡିଏଲଏଫଏସ) ନାମକ ଏକ ସଂସ୍ଥା କେତେକ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେଇଛି । ଏଥିପାଇଁ ଏହି ସଂସ୍ଥା ସାଂଘାତିକ ଭାବେ ଠକେଇ କରିଥିବା ଜଣାପଡ଼ିଛି । ଗଣ ଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ଦସ୍ତଖତ ଜାଲ କରି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ଜାଲ ଚିଠି ମଧ୍ୟ ପଠାଯାଇଥିଲା । ଏହି ଚିଠି ବଳରେ ନିଯୁକ୍ତି ପାଇଛନ୍ତିି ଶହ ଶହ ଶିକ୍ଷକ । ଏ ସମ୍ପର୍କରେ ଅବଗତ ହେବା ପରେ କୌଣସି ଅନଧିକୃତ ଶିକ୍ଷକଙ୍କୁ ସ୍କୁଲରେ ପାଠ ପଢ଼ାଇବାକୁ ଅନୁମତି ନ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ।
ପ୍ରାୟ ଅଧିକାଂଶ ସ୍ଥାନରେ ନିଯୁକ୍ତି ପାଇଥିବା ଶିକ୍ଷକ ସଂସ୍ଥାକୁ ଟଙ୍କା ଦେଇଥିବା ବେଳେ କେତେକ ସ୍ଥାନରେ ଟଙ୍କା ଦେଇ ମଧ୍ୟ ନିଯୁକ୍ତି ପତ୍ର ମିଳିନଥିବା ନେଇ ଅଭିଯୋଗ ବିଭାଗରେ ପହଁଚିଥିଲା । ସମସ୍ତ ଅଭିଯୋଗଗୁଡ଼ିକୁ ଯାଁଚ କରି ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବାକୁ ବିଭାଗୀୟ ସଚିବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ହିଁ କ୍ରାଇମବ୍ରାଁଚ ତଦନ୍ତଭାର ନେଇଥିଲା । ତେବେ ସରକାରୀ ଯୋଜନା ଭିତରେ ଏକ ନକଲି ସଂସ୍ଥା କିଭଳି ଜାଲ କାରବାର କଲା ତାହାକୁ ନେଇ ଖୋଦ ବିଭାଗ ଏବେ ଆଚମ୍ବିତ ହୋଇଥିଲା ବେଳେ କ୍ରାଇମବ୍ରାଁଚ ତଦନ୍ତ ଆଗେଇ ନପାରିବା ପଛରେ ସରକାରୀ ଅଧିକାରୀଙ୍କ ଭୂମିକା ଥିବା ଅଭିଯୋଗ ହୋଇଛି ।