ଚିତ୍ରକୋଣ୍ଡା(ଏଟିଆର ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ୧୦୮ ବୋଟ ଆମ୍ବୁଲାନ୍ସ ସେବା । ରାଜ୍ୟ ସରକାରଙ୍କ ତରଫରୁ ଏହି ସେବାକୁ ଉଦଘାଟନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଏହି ୧୦୮ବୋଟ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି । ଏହି ବୋଟ ଚାଲିବା ଦ୍ୱାରା ୫ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଉପକୃତ ହେବେ । ଏହି ସେବା ବିଚ୍ଛିନ୍ନାଞ୍ଚଳ କୁନ୍ତୁରପଦର ଗ୍ରାମରେ ରହିବ । ସେଠାରୁ ଯେକୌଣସି ଗର୍ଭବତୀ ମହିଳା ଓ ରୋଗି ମାନେ ଏହି ବୋଟ ସାହାଯ୍ୟରେ ଶିଘ୍ର ଚିତ୍ରକୋଣ୍ଡା ମେଡିକାଲ ଯାଇପାରିବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ବିଚ୍ଛିନ୍ନାଞ୍ଚଳରେ ଯାତାୟତ ସୁବିଧା ନଥିବାରୁ ପାଠପଢାରେ ବାଧାପ୍ରାପ୍ତ ହେଉଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର ଶିକ୍ଷକ କ୍ଲଷ୍ଟର ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତି ନେଇଛନ୍ତି । ଏଥିପାଇଁ ମନ୍ତ୍ରୀ ସମୀର ଦାସ ଶିଳାନ୍ୟାସ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଶିକ୍ଷକ ରହିବା ପାଇଁ ଏଠାରେ ବ୍ୟବସ୍ଥା କରାଯିବ । ଏଥିରେ ୭ ଟି ପଞ୍ଚାୟତର ସ୍କୁଲ ଉପକୃତ ହେବ । ଏଥିପାଇଁ ୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶିକ୍ଷକ ମାନେ କ୍ଲଷ୍ଟରରେ ରହି ଶିକ୍ଷା ଦାନ କରିବେ । ଏହା ସହ ଏହି ଅଞ୍ଚଳରେ ଅଧିକ ସ୍କୁଲ ଓ ଶିକ୍ଷକ ନିଯୁକ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।