ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିଲ୍ଲୀର ଏକ କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୯ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇପଡିଛନ୍ତି । ଦିଲ୍ଲୀ କିରାଡି ଅଞ୍ଚଳରେ ଏହି ଘଟଣା ଘଟିଛି । ଗତକାଲି ରାତି ଅଧରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ଅନୁସାରେ ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି । ଗୋଦାମରେ ନିଆଁ ଲାଗିଯିବା ବେଳେ ଏକ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ନିଆଁ ଅଧିକ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକ ମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହା ସହ ଆହତ ମାନଙ୍କୁ ଉଦ୍ଧାର କରି ସଞ୍ଜୟ ଗାନ୍ଧି ମେମୋରିଆଲରେ ଭର୍ତ୍ତି କରାଯାଇଛି ।
ଚାରିମହଲା ବିଶିଷ୍ଟ ଏକ କୋଟାର ତଳ ମହଲାରେ ଏହି ଗୋଦାମ ଥିଲା । ଏହି ଗୋଦାମରେ କୌଣସି ପ୍ରକାରର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାର ଜଣା ପଡିଛି । ଗତ ୧୫ ଦିନ ମଧ୍ୟରେ ଏହା ହେଉଛି ଦିଲ୍ଲୀର ଦ୍ୱିତୀୟ ବଡ ଅଗ୍ନିକାଣ୍ଡ । ଏହା ପୂର୍ବରୁ ଗତ ୭ ତାରିଖରେ ଝାନସୀ ରୋଡ ସ୍ଥିତ ଅନାଜ୍ ମଣ୍ଡିର ଏକ ଲଗେଜ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଲା ।