ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟରେ ସ୍ୱତନ୍ତ୍ର ବୁଦ୍ଧ ଗ୍ୟାଲେରି ଖୋଲାଯିବ । ଏହି ଗ୍ୟାଲେରିରେ ବାଣପୁରସ୍ଥିତ ଅଚ୍ୟୁତରାଜପୁରରୁ ମିଳିଥିବା ୭୫ଟି ବ୍ରୋଞ୍ଜ ମୂର୍ତ୍ତି ଶୋଭାପାଇବ । ଏହି ମୂର୍ତ୍ତି ଗୁଡିକ ୫ମରୁ ୧୦ମ ଶତାବ୍ଦୀର ହୋଇଥିବାରୁ ନିର୍ମାଣଧୀନ ସ୍ଥାୟୀ ଗ୍ୟାଲେରି ମଧ୍ୟରେ ଏହା ସ୍ଥାପନ କରାଯିବ । କିଛି ବର୍ଷ ତଳେ ବାଣପୁରସ୍ଥିତ ଅଚ୍ୟୁତରାଜରପୁରରୁ ମିଳିଥିବା ୯୨ଟି ବୁଦ୍ଧ ଓ ଜୈନ ମୂର୍ତ୍ତି ସମେତ ଅନ୍ୟାନ୍ୟ ମୂର୍ତ୍ତିକୁ ସଂଗୃହୀତ ହୋଇଥିଲା । ତେବେ ସେଥିମଧ୍ୟରୁ ବିଭିନ୍ନ ଆକାରର ୭୫ଟି ବୁଦ୍ଧ ମୂର୍ତ୍ତିକୁ ନେଇ ସ୍ୱତନ୍ତ୍ର ଗ୍ୟାଲେରି ନିର୍ମାଣ ହୋଇଛି । ରାଜ୍ୟ ସଂଗ୍ରହାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ୨୯ ତାରିଖରେ ଏହି ଗ୍ୟାଲେରି ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲାଯିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ସୂଚନା ପ୍ରଦାନ କରିଛନ୍ତି ।
ଏହାଛଡା ହଜିଯାଉଥିବା ଡାକ ବିଭାଗର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ଖୋଲିବ ଡାକ ଗ୍ୟାଲେରି । ଏହି ଗ୍ୟାଲେରିର ଶୀର୍ଷ ‘ପୋଷ୍ଟାଲ ହେରିଟେଜ ଅଫ ଓଡିଶା’ ରଖାଯିବା ସହ ସମଗ୍ର ଦେଶର କିଛି ବିରଳ ଷ୍ଟାମ୍ପ ପଦର୍ଶିତ ହେବ । ତେବେ ଏହି ଗ୍ୟାଲେରିରେ ଭାରତୀୟ ଡାକ ବ୍ୟବସ୍ଥା ସହ ଜଡିତ ପ୍ରାଚୀନ ଷ୍ଟାମ୍ପ, ଏନଭଲପ, ଇନଲାଣ୍ଡ ଲେଟର୍ସ ଆଦି ପ୍ରଦର୍ଶତ ହେବ । ଏହା ବ୍ୟତିତ ପୋଷ୍ଟ ବକ୍ସ, ପୋଷ୍ଟମାଷ୍ଟରଙ୍କ ପାରମ୍ପାରିକ ପୋଷାକ, ନିକିତି ଆଦି ଦେଖିବାକୁ ମିଳିବ । ଏ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷୀକ ପରିପ୍ରେକ୍ଷୀରେ ଓଡିଶା ଓ ମହାତ୍ମା ଗାନ୍ଧୀଙ୍କୁ ନେଇ ସ୍ୱତନ୍ତ୍ର ବିଭାଗ ମଧ୍ୟ ଖୋଲାଯିବ । ଏହି ସବୁ ସାମଗ୍ରୀକୁ ପୋଷ୍ଟମାଷ୍ଟର ଜେନେରାଲ ଡ. ସନ୍ତୋଷ କୁମାର କାମିଲ ରାଜ୍ୟ ସଂଗ୍ରହାଳୟକୁ ଯୋଗାଇ ଦେଇଛନ୍ତି ।
ଆସନ୍ତା ୨୯ ତାରିଖରେ ହେଉଥିବା ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସରେ ସଂଗୃହୀତ ହୋଇଥିବା ବିଶାଳ ସାମଗ୍ରୀକୁ ନେଇ ଦିନିକିଆ ପ୍ରଦର୍ଶନୀ କରାଯିବ । ଏହି ଅବସରରେ ପ୍ରାମାଣିକ ଚିତ୍ର ‘ଟେମ୍ପୁଲ୍ସ ଅଫ୍ ଭୁବନେଶ୍ବର’ ମଧ୍ୟ ସ୍ଥାୟୀ ଭାବେ ପ୍ରଦର୍ଶିତ କରାଯିବ । ଇତିହାସ ଓ ଐତିହ୍ୟକୁ ନେଇ ‘ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ ଜର୍ଣ୍ଣାଲ୍’, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭାଷଣକୁ ନେଇ ମଧୁରାନନ୍ଦ ଦାସଙ୍କ ସମ୍ପାଦିତ ପୁସ୍ତକ, ଡ. ଜୟନ୍ତୀ ରଥଙ୍କ ରଚିତ ‘ସତ୍ୟନାରାୟଣ ରାଜଗୁରୁ: କଣ୍ଟ୍ରିବୁସନ୍ ଟୁ ଓଡ଼ିଶା ହିଷ୍ଟ୍ରି ଆଣ୍ଡ୍ କଲ୍ଚର’, ଡ. ଭାରତୀ ପାଲ୍ଙ୍କ ରଚିତ ‘ଇନ୍ସ୍କ୍ରିପ୍ସନ ଅଫ୍ ଖିଞ୍ଜୋଳିମଣ୍ଡଳ’ ଏବଂ ‘ରିପ୍ରିଣ୍ଟ୍ ଅଫ୍ ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ଜର୍ଣ୍ଣାଲ୍’ ଉନ୍ମୋଚିତ କରାଯିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ସୂଚନା ପ୍ରଦାନ କରିଛନ୍ତି ।